ଫିଲିପାଇନ୍ସ, ୧/୧୦: ବୁଧବାର କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ ହୋଇଛି। ୬.୯ ତୀବ୍ରତାର ଭୂମିକମ୍ପରେ ୬୯ ଜଣଙ୍କର ମୃତ୍ୟୁ ହୋଇଛି। ୧୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଭଗ୍ନାବଶେଷ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ସେବୁ ପ୍ରଦେଶର ଉପକୂଳବର୍ତ୍ତୀ ସହର ବୋଗୋର ଉତ୍ତର-ପୂର୍ବରେ ପ୍ରାୟ ୧୭ କିଲୋମିଟର ଦୂରରେ ଅବସ୍ଥିତ। ଏହି ସହରରେ ପ୍ରାୟ ୯୦ ହଜାର ଲୋକ ବସବାସ କରନ୍ତି।
ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ବୋଗୋରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି, ଯଦିଓ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ସେହିପରି ସାନ ରେମିଗିଓ ସହରରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି, ଯେଉଁଥିରେ ତିନି ଜଣ ତଟରକ୍ଷୀ ବାହିନୀ କର୍ମଚାରୀ, ଜଣେ ଅଗ୍ନିଶମ କର୍ମଚାରୀ ଏବଂ ଜଣେ ଶିଶୁ ସାମିଲ ଅଛନ୍ତି।
ଭୂମିକମ୍ପ ପରେ ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ୍ ସିସମୋଲୋଜି ସୁନାମି ସତର୍କତା ସୂଚନା ଜାରି କରିଥିଲା। ୧ରୁ ୩ ଫୁଟ ଯାଏଁ ଜୁଆର ମାଡି ଆସିବାର ଚେତାବନୀ ଜାରି କରିଥିଲା।