କାଶ୍ମୀର ଆମର! ପିଓକେରେ ଜଳୁଛି ବିଦ୍ରୋହର ନିଆଁ

ଶରିଫ ଓ ମୁନିରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ

ସେନା ଚଳାଇଛି ଦମନ ଲୀଳା: ଗଲାଣି ୧୨ ଜୀବନ

ମୁଜାଫରବାଦ, ୨/୧୦: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜଳୁଛି ବିଦ୍ରୋହର ନିଆଁ। ପାକ ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି ହଜାର ହଜାର ଲୋକେ। ଏହାର ଜବାବରେ ପ୍ରତିବାଦକାରୀଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀ ଚଳାଇଛି ଗୁଳି। ଯେଉଁଥିରେ ଅତି କମରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକ୍ ସରକାର ୩୮ଟି ପ୍ରମୁଖ ଦାବି ପୂରଣ ନ କରିବାରୁ ଏହି ପ୍ରତିବାଦ ଆରମ୍ଭ ହୋଇଛି।

ଗୁରୁବାର ଉତ୍ତେଜନା ପ୍ରବଳ ଦେଖାଦେଇଛି। ଦାଦୟାଲରେ ବିକ୍ଷୋଭ ନିୟନ୍ତ୍ରଣ କରିବା ପାଇଁ ହଜାର ହଜାର ଅତିରିକ୍ତ ସୈନ୍ୟ ମୁତୟନ ହେବା ପରେ ପ୍ରଦର୍ଶନକାରୀମାନେ ସେନା ସହିତ ସଂଘର୍ଷ କରିଥିଲେ। ମୁଜାଫରବାଦ, ରାୱାଲାକୋଟ, ନୀଲମ୍ ଉପତ୍ୟକା ଏବଂ କୋଟଲିରେ ହିଂସା ଜୋରସୋର ଦେଖାଦେଇଛି।

ରିପୋର୍ଟ ଅନୁଯାୟୀ, ମୁଜାଫରାବାଦରେ ପାଞ୍ଚ ଜଣ, ଧୀରକୋଟରେ ପାଞ୍ଚ ଜଣ ଏବଂ ଦାଦୟାଲରେ ଦୁଇଜଣ ପ୍ରଦର୍ଶନକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହିପରି ତିନି ଜଣ ପୋଲିସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏହା ସହିତ, ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହୋଇଛନ୍ତି ଅଧିକାଂଶଙ୍କ ଦେହରେ ଗୁଳି ବାଜିଛି।

ସେପ୍ଟେମ୍ବର ୨୯ ତାରିଖରେ ଜମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି (AAC) ନେତୃତ୍ୱରେ ବିରୋଧ ପ୍ରଦର୍ଶନ ଆରମ୍ଭ ହେବା ପରଠାରୁ ବଜାର, ଦୋକାନ ଏବଂ ସ୍ଥାନୀୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ମୋବାଇଲ୍, ଇଣ୍ଟରନେଟ୍ ଏବଂ ଲ୍ୟାଣ୍ଡଲାଇନ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ପାକିସ୍ତାନରେ ରହୁଥିବା କାଶ୍ମୀର ଶରଣାର୍ଥୀଙ୍କ ପାଇଁ POKରେ ବିଧାନସଭାରେ ୧୨ଟି ଆସନ ସଂରକ୍ଷିତ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି ପିଓକେ ବାସୀ। ଟିକସ ରିହାତି, ମଇଦା ଏବଂ ବିଦ୍ୟୁତ ଉପରେ ସବସିଡି ଭଳି ଦାବି ରହିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖାଯାଇଛି, ହଜାର ହଜାର ଆନ୍ଦୋଳନକାରୀ ପଥର ଫିଙ୍ଗିବା ସହ ମୁଜାଫରାବାଦରେ ସେମାନଙ୍କ ଆନ୍ଦୋଳନକୁ ରୋକିବା ପାଇଁ ସେତୁ ଉପରେ ରଖାଯାଇଥିବା ବଡ଼ ଜାହାଜ ଚଳାଚଳ କଣ୍ଟେନରଗୁଡ଼ିକୁ ଓଲଟାଇ ଦେଉଛନ୍ତି।

ଆନ୍ଦୋଳନକାରୀ ଶୋଭାଯାତ୍ରା କରି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। “ଶାସକମାନେ, ସାବଧାନ ରୁହନ୍ତୁ, ଆମେ ତୁମର ନିପାତ କରିବୁ” ଏବଂ “କାଶ୍ମୀର ଆମର, ଆମେ ଏହାର ଭାଗ୍ୟ ନିର୍ଣ୍ଣୟ କରିବୁ” ଭଳି ସ୍ଲୋଗାନ ଦେଉଛନ୍ତି ଲୋକେ। POK ନାଗରିକମାନେ ସିଧାସଳଖ ପାକିସ୍ତାନ ସରକାର ଏବଂ ସେନାକୁ ଟାର୍ଗେଟ କରୁଛନ୍ତି।

ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ସରକାର ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନର‌ ବାଟ ଖୋଜିବା ପାଇଁ ଏକ ଆଲୋଚନା କମିଟି ଗଠନ କରିବାକୁ ପ୍ରସ୍ତୁତ।

ସେପଟେ ୟୁନାଇଟେଡ୍ କାଶ୍ମୀର ପିପୁଲ୍ସ ନ୍ୟାସନାଲ୍ ପାର୍ଟି (UKPNP) ର ମୁଖପାତ୍ର ନାସିର ଅଜିଜ୍ ଖାନ ମିଳିତ ଜାତିସଂଘ (UN) ଏବଂ ଅନ୍ତର୍ଜାତୀୟ ସମୁଦାୟକୁ ତୁରନ୍ତ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।