‘ଦୃଶ୍ୟମ-୨’ରେ ପୁଣି ଇଶିତା

ମୁମ୍ଵାଇ ୩୦।୦୯: ୨୦୧୫ ମସିହାରେ ମୁକ୍ତିପ୍ରାପ୍ତ ଦିବଂଗତ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ଫିଲ୍ମ ‘ଦୃଶ୍ୟମ୍‌’ର ମର୍ଡର୍‌  ମିଷ୍ଟ୍ରୀ ଦର୍ଶକଙ୍କୁ ଏଭଳି ବାନ୍ଧିଥିଲା, ଆଗକୁ କ’ଣ ହେବ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଚାଲିଥିଲା। ଶେଷ ପର୍ଯ୍ୟନ୍ତ ଫିଲ୍ମଟି ଦର୍ଶକଙ୍କୁ ସସ୍‌ପେନ୍ସରେ ରଖିଥିଲା । ଏବେ ନିର୍ମାତା ଏହାର ସିକ୍ୱେଲ୍‌ ପ୍ରସ୍ତୁତ କରୁଛନ୍ତି । ‘ଦୃଶ୍ୟମ୍‌’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ପାଠକ । ଆସନ୍ତା ନଭେମ୍ବର ୧୮ ତାରିଖରେ ଏଇଟି ମୁକ୍ତିଲାଭ କରିବ। ମୂଳ ଫିଲ୍ମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର  ଖୋରାକ ଦେଇଥିବା ଅଜୟ ଦେବଗନ, ତବୁ, ଶ୍ରେୟା ଶରଣ, ଅକ୍ଷୟ ଖାନ୍ନା,  ଇଶିତା ଦତ୍ତା, ମୃଣାଲ ଯାଦବ ଓ ରଜକ କପୁର ଏଥର ବି ଗୁରୁ ଦାୟିତ୍ୱ  କାନ୍ଧେଇଛନ୍ତି।

‘ଦୃଶ୍ୟମ୍‌’ରେ ନିଜର ଭୂମିକା ଓ ପ୍ରଦର୍ଶନ ପାଇଁ ଖୁବ୍‌  ଭଲପାଇବା ଓ ପ୍ରଶଂସା ସାଉଁଟିଥିଲେ ଇଶିତା । ସିକ୍ୱେଲ୍‌କୁ ନେଇ ସେ  ଏବେ ଖାସ୍‌ ଉତ୍ସାହିତ ଅଛନ୍ତି। ପୂର୍ବ ଥର ଭଳି ଏଥର ବି ଦର୍ଶକ ତାଙ୍କୁ  ଭଲପାଇବା ଅଜାଡ଼ିଦେବେ ବୋଲି ସେ ଆଶା ବାନ୍ଧିଛନ୍ତି । ସେ କହନ୍ତି ‘ ଦୃଶ୍ୟମ୍‌-୨କୁ ନେଇ ମୁଁ ଖୁବ୍‌ ଉତ୍ସାହିତ। ମୋର ଅନେକ ଫ୍ୟାନ୍‌ ଓ  ଦର୍ଶକ ଦୀର୍ଘ ଦିନରୁ ଫିଲ୍ମର ୨ୟ ସଂସ୍କରଣ ବିଷୟରେ ପଚାରୁଛନ୍ତି ।  ଏବେ ସେ ସମୟ ଆସିଛି । ଫିଲ୍ମ ପରଦାରେ ଯାହା ଦେଖାଇବ,  ଦର୍ଶକ ତାକୁ ଭଲପାଇବେ ବୋଲି ମୁଁ ନିଶ୍ଚିତ।