ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । ଏନଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲେ ଦ୍ରୌପଦୀ । ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ପୁଷ୍ପଗୁଚ୍ଛ ଦେଇ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ।

ଦ୍ରୌପଦୀଙ୍କ ସହ ସାକ୍ଷାତ ପରେ ମୋଦୀ ଟ୍ବିଟ୍ କରି କହିଥିଲେ ଯେ, ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ପ୍ରତି ଦେଶର ସହମତି ରହିଛି । ତାଙ୍କ ରାଷ୍ଟ୍ରପତିଙ୍କ ନାମାଙ୍କନକୁ ସମାଜର ସମସ୍ତ ବର୍ଗର ଭାରତୀୟମାନେ ପ୍ରଶଂସା କରିଛନ୍ତି। ତୃଣମୂଳ ସ୍ତରର ସମସ୍ୟା ଏବଂ ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଉଲ୍ଲେଖନୀୟ। ପ୍ରଧାନମନ୍ତ୍ରୀଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ ଦ୍ରୌପଦୀ ମୁର୍ମୁ ।

ସେପଟେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ସହ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ବସାଇବା ଲାଗି ଦଳମତ ନିର୍ବିଶେଷରେ ସମର୍ଥନ ଦେବାକୁ ଅପିଲ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୌପଦୀଙ୍କ ନାମାଙ୍କନ ସମୟରେ ସମର୍ଥନ ଦେବା ସହ ପ୍ରସ୍ତାବକ ଭାବେ ଦୁଇ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ଏବଂ ଜଗନ୍ନାଥ ସାରକା ଦିଲ୍ଲୀରେ ପହଞ୍ଚିଛନ୍ତି ।