ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଲେ ଋଷ ରାଷ୍ଟ୍ରପତି

ୟୁକ୍ରେନ ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନେଇ ପାରନ୍ତି ବଡ ନିଷ୍ପତ୍ତି । ଆଜି ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି ପୁଟିନ । ଏହି ବୈଠକ ପୂର୍ବରୁ ସମଗ୍ର ୟୁକ୍ରେନରେ ଆଲର୍ଟ ଜାରି କରାଯାଇଛି । ଆଉ ଏଠିକାର ଲୋକେ ଏବେ ଚିନ୍ତାରେ । ୟୁକ୍ରେନର ସ୍ଥିତି ନେଇ ଏହି ବୈଠକ ହେବାକୁ ଯାଉଛି । କୁହାଯାଉଛି ଦୁଇ ଦିନ ତଳେ ଯେଉଁ କ୍ରିମିଆ ସେତୁ ଉପରେ ହମଲା ହୋଇଥିଲା ତାର ପ୍ରତିଶୋଧ ନେଇପାରେ ମସ୍କୋ ।

ଏଥିପାଇଁ ପୁଟିନ ରଣନୀତି ପ୍ରସ୍ତୁତି କରିଛନ୍ତି । ୟୁକ୍ରେନର ବଡ ସହରରେ ଋଷ କରିପାରେ ରକେଟ୍ ମାଡ । କ୍ରିମିଆକୁ ସଂଯୋଗ କରୁଥିବା କେର୍ଚ ବ୍ରିଜ ଉପରେ ହୋଇଥିବା ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ଋଷ କହିଛିି । ୟୁକ୍ରେନ ସ୍ପେଶାଲ ସର୍ଭିସେସ୍ ଦ୍ୱାରା ବ୍ରିଜରେ ନିଆଁ ଲଗାଯାଇଛି ବୋଲି ପୁଟିନ କହିଛନ୍ତି । ଋଷ ଏବଂ କ୍ରିମିଆକୁ ଯୋଡୁଥିବା ଏହି ବ୍ରିଜରେ ଦୁଇ ଦିନ ତଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଥିଲା । ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଥିଲା ।