ଦିଲ୍ଲୀରେ ଫୁଟାଯାଇ ପାରିବନି ବାଣ

ନୂଆଦିଲ୍ଲୀ: ଦୀପାବଳିରେ ଦେଶର ରାଜଧାନୀ  ଦିଲ୍ଲୀରେ ଫୁଟିବନି ବାଣ। ରାଜ୍ୟ ସରକାର ବାଣ ଉପରେ ଲଗାଇଥିବା କଟକଣାକୁ ହଟାଇବାକୁ ମନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଦୀପାବଳି ଛୁଟି ପୂର୍ବରୁ ଏହି ମାମଲାର ଶୁଣାଣି କରାଯିବ। ଦିଲ୍ଲୀ-ଏନସିଆରକୁ ନେଇ  ଆମର ଆଭିମୁଖ୍ୟ ସ୍ପଷ୍ଟ। ପ୍ରଦୂଷଣକୁ ନେଇ ସ୍ଵତନ୍ତ୍ର ଆଦେଶ ଜାରି କରାଯାଇଥିବା ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

ଦୀପାବଳି ପରି ପାର୍ବଣରେ ଦିଲ୍ଳୀ-ଏନସିଆରରେ ବାଣ ଫୁଟା ଉପରେ ଲାଗିଥିବା କଟକଣାକୁ ବିରୋଧ କରି ବିଜେପି ସାଂସଦ ମନୋଜ ତିଓ୍ଵାରୀ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହା ଉପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ତେବେ ବାଣଫୁଟା ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ବାଣଫୁଟା ଉପରେ କଟକଣାକୁ ସଂସ୍କୃତ ବିରୋଧୀ ବୋଲି ଆବେଦନରେ ଦର୍ଶାଯାଇଥିଲା। ଦିଲ୍ଲୀରେ ଶୀତ ସମୟରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ସରକାର ଆସନ୍ତାବର୍ଷ ଜାନୁଆରୀ ୨ ପର୍ଯ୍ୟନ୍ତ ବାଣଫୁଟା ଉପରେ କଟକଣା ଲଗାଇଛନ୍ତି। ଆପ୍ ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ମନୋଜ ତିଓ୍ଵାରୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।