କେବେ ସୁଧୁରିବେ ସରକାରୀ ବାବୁ? ୨୦୨୫ରେ ୨୧୨ ଜଣ ଗିରଫ

ଆଜି ପୁଣି ଭିଜିଲାନ୍ସ ଜାଲରେ ଜଣେ ଅତିରିକ୍ତ ତହସିଲଦାର

ଭୁବନେଶ୍ୱର, ୩୧/୧୨: ମୁଖ୍ୟମନ୍ତ୍ରୀଙ୍କ କଡ଼ା ତାଗିଦ୍। ସରକାରୀ ବାବୁଙ୍କୁ ବାରମ୍ବାର ଚେତାବନୀ। ଗତ କାଲି କଂସ ଦରବାରରେ ଥାଇ ମଧ୍ୟ ସରକାରୀ ବାବୁଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତିରେ ଲିପ୍ତ ନ ରହିବାକୁ ପରାମର୍ଶ ଦେଲେ। ଏପରିକି ନିଇତି ଭିଜିଲାନ୍ସ ଜାଲରେ ଫସୁଛନ୍ତି ଗୋଟିଏ ପରେ ଗୋଟିଏ ସରକାରୀ ବାବୁ। ଏହା ପରେ ବି ବାବୁଙ୍କ ନିଘା ନାହିଁ। ଆୟଠୁ ଅଧିକ ସମ୍ପତ୍ତି ଅର୍ଜିତ କରୁଛନ୍ତି ତ ଲୋକଙ୍କ କାମ କରିବା ପାଇଁ ଲାଞ୍ଚ ନେଉଛନ୍ତି।

ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଅତିରିକ୍ତ ତହସିଲଦାର। ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି। ୯ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଅଫିସ ପିଅନ କାହ୍ନୁ ସାହୁଙ୍କ ଜରିଆରେ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ୩ଟି ଜାଗା ମ୍ୟୁଟେସନ୍ କେସ୍‌ ପାଇଁ ଓକିଲଙ୍କ ଜରିଆରେ ନେଉଥିଲେ ଟଙ୍କା। ଉଭୟଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ତଦନ୍ତ ଜାରି ରଖିଛି।

ତେବେ ସରକାରୀ ତଥ୍ୟ ମୁତାବକ, ୨୦୨୫ ବର୍ଷରେ ଭିଜିଲାନ୍ସ ପକ୍ଷରୁ ୨୦୨ ମାମଲା ହୋଇଥିବା ବେଳେ ୨୧୨ ଜଣ ଗିରଫ ହୋଇଛନ୍ତି। ଜଣେ IASଙ୍କ ସହ ୫୩ କ୍ଲାସ ୱାନ୍‌ ଅଫିସରଙ୍କୁ ଗିରଫ ହୋଇଛନ୍ତି। ଜଣେ ମୁଖ୍ୟ ଯନ୍ତ୍ରୀ, ୨ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ୩୬ ଯନ୍ତ୍ରୀ ଗିରଫ ହୋଇଛନ୍ତି। ୪୯ଟି ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ମାମଲାରେ ୧୨୦ କୋଟି ଜବତ ହୋଇଛି।

ସେହିପରି ୯୭ଟି ଲାଞ୍ଚ ମାମଲାରେ ୧୦୫ ସରକାରୀ ଅଧିକାରୀଙ୍କ ସହ ୧୧୪ ଗିରଫ ହୋଇଛନ୍ତି। ୧୫୩ ବିଲ୍ଡିଂ, ୧୮ କେଜି ସୁନା, ୭୧୪ ପ୍ଲଟ, ୧୨ ଫାର୍ମ ହାଉସ ସିଜ୍‌ ହୋଇଛି। ୩୬.୬୯ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୮.୮୧ କୋଟି ନଗଦ ରାଶି ଜବତ ହୋଇଛି।