ଓଡ଼ିଶା ନୀତି ତାତ୍ତ୍ୱିକ ଭେଷଜ ବିଜ୍ଞାନ ସମିତିର ବାର୍ଷିକ ସମ୍ମିଳନୀ ଉଦଯାପିତ
ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ପୁରସ୍କୃତ
ପୁରୀ, ୨୮/୦୧: ଓଡ଼ିଶା ନୀତି ତାତ୍ତ୍ୱିକ ଭେଷଜ ବିଜ୍ଞାନ ସମିତିର ୪୪ତମ ବାର୍ଷିକ ସମ୍ମିଳନୀ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୨୪ ଓ ୨୫ ତାରିଖ ଦୁଇ ଦିନ ବ୍ୟାପୀ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ବିଭିନ୍ନ ରାଜ୍ୟର ଏମ୍ସ ଓ ଜିପମର ଭଳି ବିଖ୍ୟାତ ଶିକ୍ଷାନୁଷ୍ଠାନରୁ ୧୨୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଲେଜ ଅଧ୍ୟକ୍ଷା ପ୍ରଫେସର ସବିତା ମହାପାତ୍ର, ଅଧୀକ୍ଷକ ପ୍ରଫେସର କୌଶିକ ମିଶ୍ର, ଓଡ଼ିଶା ନୀତି ତାତ୍ତ୍ୱିକ ଭେଷଜ ବିଜ୍ଞାନ ସମିତିର ସଭାପତି ପ୍ରଫେସର ବ୍ରଜକିଶୋର ଦାଶ, ସମ୍ପାଦକ କିରଣ କୁମାର ପଟ୍ଟନାୟକ, ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୀତି ତାତ୍ତ୍ୱିକ ଭେଷଜ ବିଜ୍ଞାନ ମୁଖ୍ୟ ପ୍ରଫେସର ଅମରେନ୍ଦ୍ର ନାୟକ ଓ ଡ଼ଃ ଦିଲ୍ଲୀପ କୁମାର ମଲ୍ଲିକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ।
ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସମାଜରେ ନ୍ୟାୟ ପ୍ରତିଷ୍ଠା ଓ ଜଟିଳ ଅପରାଧର ତଦନ୍ତ କ୍ଷେତ୍ରରେ ଡାକ୍ତରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆଲୋଚନା କରିବା ସହ ଡାକ୍ତରମାନଙ୍କ ମାନସିକ ସୁସ୍ଥ ତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବଦ୍ଧପରିକର ଥିବା ବେଳେ ଡ଼ାକ୍ତରମାନଙ୍କ ବିଭିନ୍ନ ଦାବି ଓ ଚିକିତ୍ସାଳୟଗୁଡ଼ିକର ଆବଶ୍ୟକତା ପୂରଣ ପାଇଁ ଉଦ୍ୟମ କରୁଥିବା ସେ ପ୍ରକାଶ କରିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ବିଶିଷ୍ଟ ନୀତି ତାତ୍ତ୍ୱିକ ଭେଷଜ ବିଜ୍ଞାନୀ ପ୍ରଫେସର ଡ଼ଃ ରତ୍ନାକର ଦାସ, ଡ଼ଃ ସୁରେଶ ମହାପାତ୍ର, ଡ଼ଃ ସୁରେଶ ମଞ୍ଜରୀ କର ଓ ଡ଼ଃ ମୁରାରୀ ଷଡ଼ଙ୍ଗୀଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କଲେଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
କାର୍ଯ୍ୟକ୍ରମର ୨ୟ ଦିବସରେ ଦେଶର ବିଭିନ୍ନ ପ୍ରାନ୍ତର ପ୍ରାୟ ୧୫ ଜଣ ଗବେଷକ ଅପରାଧର ବିଶ୍ଳେଷଣ କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ଓ ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ୨୫ରୁ ଉର୍ଦ୍ଧ୍ବ ଅଧ୍ୟାପକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ନିଜ ନିଜ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ।
ଉଦଯାପନୀ ସମାରୋହରେ କ୍ରାଇମବ୍ରାଞ୍ଚ ଆଇଜି ଡ଼ଃ ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଡ଼ଃ ଷଡ଼ଙ୍ଗୀ ଅପରାଧ ତଦନ୍ତ କ୍ଷେତ୍ରରେ ପୋଲିସ ବିଭାଗ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ବିଶେଷଜ୍ଞ ଡାକ୍ତରମାନଙ୍କ ବୌଦ୍ଧିକ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।
ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଡାକ୍ତରମାନେ ଅପରାଧିକ ମାମଲା ଗୁଡ଼ିକର ସଠିକ୍ ଓ ସମୟୋପଯୋଗୀ ସହଯୋଗ କରିବାକୁ ସେ ନିବେଦନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଡ଼ଃ ରଜନୀକାନ୍ତ ସ୍ୱାଇଁ (ଏମ୍ସ ଭୁବନେଶ୍ୱର), ଡ଼ଃ ଶେଷଦେବ ସମର୍ଥା (ଏସସିବି) ଓ ଡ଼ଃ କିର୍ତ୍ତୀ କୁମାରନ୍ (ଜିପମର)ଙ୍କୁ ଡ଼ଃ ଷଡ଼ଙ୍ଗୀଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଓଡ଼ିଶା ନୀତି ତାତ୍ତ୍ୱିକ ଭେଷଜ ବିଜ୍ଞାନ ସମିତିର କର୍ମକର୍ତ୍ତା ଡ଼ଃ ବ୍ରଜକିଶୋର ଦାଶ, ଡ଼ଃ କିରଣ କୁମାର ପଟ୍ଟନାୟକ, ଡ଼ଃ ଅମରେନ୍ଦ୍ର ନାୟକ, ଡ଼ଃ ଦିଲ୍ଲୀପ କୁମାର ନାୟକ, ଡ଼ଃ ପ୍ରିୟମ୍ବଦା ବେହେରା, ଡ଼ଃ ବିନିକା କମଳିନୀ ଓ ଡ଼ଃ ସତ୍ୟପ୍ରକାଶ ପ୍ରମୁଖ ପରିଚାଳନା କରିଥିବା ବେଳେ କଲେଜର ସମସ୍ତ ଛାତ୍ରଛାତ୍ରୀ କର୍ମଶାଳାରେ ଉପସ୍ଥିତ ରହି ଜ୍ଞାନର ଆଦାନପ୍ରଦାନରେ ସହଭାଗୀ ହୋଇଥିଲେ।