ବୃନ୍ଦାବନ ମଠରୁ ଗିରଫ ଚୌଦ୍ଵାର ଜେଲରୁ ଫେରାର କଏଦୀ

ଅନ୍ୟ ଜଣକୁ ଖୋଜା ଚାଲିଛି

କଟକ, ୧୪/୦୨: ଦୀର୍ଘ ମାସ ପରେ ଚୌଦ୍ଵାର ଜେଲରୁ ଫେରାର ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଧରାପଡ଼ିଛି। କୁଖ୍ୟାତ ମଧୁକାନ୍ତ ରାଣାକୁ ଗିରଫ କଲା କମିଶନରେଟ୍‌ ପୋଲିସ। ଉତ୍ତର ପ୍ରଦେଶରୁ ଗିରଫ ହୋଇଛି ମଧୁକାନ୍ତ। ବୃନ୍ଦାବନର ଏକ ମଠରୁ ଧରାପଡିଛି ଅଭିଯୁକ୍ତ।

ଅନ୍ୟ ଅଭିଯୁକ୍ତ ରାଜା ସାହାଣୀକୁ ଖୋଜୁଛି ପୋଲିସ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ୨ ତାରିଖରେ ବିହାରର ମଧୁକାନ୍ତ କୁମାର ଓ ରାଜା ସାହାଣୀ ଜେଲ୍ ପାଚେରି ଡେଇଁ ଫେରାର ମାରିଥିଲେ। ୨୦୨୫, ଜାନୁଆରି ୪ ତାରିଖରେ ଯାଜପୁରର ପାଣିକୋଇଲିରେ ପଣ୍ତା ଅଳଙ୍କାର ଲୁଟ୍ କରିବା ସହ ୨ଜଣଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ହୋଇଥିଲେ ଏହି ଦୁଇ ବିହାରୀ ଅପରାଧୀ। ସେମାନଙ୍କୁ ପ୍ରଥମେ ଯାଜପୁର ରଗଡ଼ି ଜେଲ୍‌ରେ ରଖାଯାଇଥିଲା। ପରେ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚୌଦ୍ବାର ଜେଲର ଦୁଇଟି ସ୍ବତନ୍ତ୍ର ସେଲ୍‌ରେ ସେମାନଙ୍କୁ ରଖାଯାଇଥିଲା। କୌଣସି ମତେ ସୁଯୋଗ ପାଇ ସେମାନେ ଜେଲରୁ ଫେରାର ହୋଇ ଯାଇଥିଲେ। ଏମାନଙ୍କୁ ଧରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିଲା ପୋଲିସ।