ଭୁବନେଶ୍ୱର, ୧୭/୦୨: ଆଜିଠାରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ। ଚଳିତ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହା ପୂର୍ବରୁ ରାଜ୍ୟପାଳଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଦିବଂଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା।
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ ସରିବାକୁ କମ୍ଭମପାଟି। ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି, “ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ଲକ୍ଷ୍ୟ ପୂରଣ ହେବ। ମୁଣ୍ଡପିଛା ଆୟ ୧.୮ ଲକ୍ଷରୁ ୩୨ ଲକ୍ଷକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ୨୦୩୬ରେ ଓଡ଼ିଶା ଗଠନର ଶହେ ବର୍ଷ ପୂରଣ ହେବ। ବହୁମୁଖୀ ଦ୍ରାରିଦ୍ୟକୁ ୫ ପ୍ରତିଶତକୁ କମାଇବା ଲକ୍ଷ୍ୟ ରହିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି। ଏହା ଉଜ୍ଜ୍ବଳ ଓଡ଼ିଶାର ଭବିଷ୍ୟତକୁ ଦର୍ଶାଉଛି। ରାମେଶ୍ବର-ପାରାଦୀପ କୋଷ୍ଟାଲ ହାଇୱେକୁ ଅନୁମୋଦନ ମିଳିଛି। ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା। ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି। ଭୁବନେଶ୍ବର-ଖୋର୍ଦ୍ଧା-କଟକକୁ ନେଇ ରିଂରୋଡ୍ ନିର୍ମାଣ ହେଉଛି। ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ। ଭିତ୍ତିଭୂମି ସୁଦୃଢ଼ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବା ଲକ୍ଷ୍ୟ।
ରାଜ୍ୟରେ ଲାଭରେ ଚାଲିଛି ସରକାରୀ ଉଦ୍ୟୋଗ। ଗୋଟିଏ ବର୍ଷରେ ୮୩୮୫ କୋଟିର ଲାଭାଂଶ ପ୍ରଦାନ କରାଯାଇଛି। ୯ଟି ଉଦ୍ୟୋଗ ଆର୍ଥିକ ବର୍ଷରେ ୮,୩୮୫ କୋଟିର ଲାଭାଂଶ ପ୍ରଦାନ କରିଛନ୍ତି।
ରାଜ୍ୟରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର `ସୁଦକ୍ଷା’ ଯୋଜନାରେ ନାମ ଲେଖା ବଢ଼ିଛି। ୨୦୧୬-୧୭ରେ ITIରେ ଛାତ୍ରୀଙ୍କ ନାମଲେଖା ୬% ରହିଥିଲା। ୨୦୨୫-୨୬ରେ ଛାତ୍ରୀଙ୍କ ନାମଲେଖା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ପଲିଟେକନିକ୍ରେ ୨୦୨୨-୨୩ରେ ୧୮୫ରୁ ୨୦୨୫-୨୬ରେ ୩୨%କୁ ବୃଦ୍ଧି ଘଟିଛି।
ନୂଆ ସରକାର ଆସିବା ପରେ ୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ ୧୯ ହଜାର ସୃଷ୍ଟି କରିବାକୁ ଧାର୍ଯ୍ୟ ଥିଲା। SHG ସଦସ୍ୟଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ରୋଜଗାର କରିବାରେ ଉଲ୍ଲେଖନୀୟ ସଫଳତା ମିଳିଛି।
`ସୁଭଦ୍ରା’ରେ ଆବେଦନ କଲେଣି ୧.୧୨ କୋଟିରୁ ଅଧିକ ହିତାଧିକାରୀ।୩ଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ `ସୁଭଦ୍ରା’ ସହାୟତା ରାଶି ପ୍ରଦାନ କରାଯାଇଛି। `ସୁଭଦ୍ରା’ ଯୋଜନାରେ ୧୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଗଲାଣି।
ବରପୁତ୍ର ଗ୍ରାମ ଯୋଜନାରେ ୨୫ଟି ଐତିହ୍ୟ ଗ୍ରାମକୁ ବିକାଶ କରାଯିବ। ୨୫ଟି ଐତିହ୍ୟ ଗ୍ରାମକୁ ସାଂସ୍କୃତିକ ଐତିହ୍ୟ ଗ୍ରାମ ଭାବରେ ବିକାଶ ପାଇଁ ଚିହ୍ନଟ ହୋଇଛି। ୧୧ କୋଟି ଟଙ୍କା ବ୍ୟୟରେ ୭୫ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଅନୁମୋଦନ ମିଳିଛି।
ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଁ ୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ସିଏମ୍ କିଶାନ ଯୋଜନାରେ ଆୟବୃଦ୍ଧି ପାଇଁ ୨୦୨୦ କୋଟି ଟଙ୍କା ବ୍ୟୟ ହୋଇଛି। ଫଳରେ ଚାଷୀ ପରିବାରର ମୁଣ୍ଡପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟରେ ତିନି ଗୁଣା ବଢ଼ିଛି ଫସଲ ଉତ୍ପାଦନ। ୨୦୦୦-୦୧ରେ ଥିଲା ୫୫.୩୫ ଲକ୍ଷ ମେଟ୍ରିକ ଟନ୍ ଓ ୨୦୨୪-୨୫ରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ଫସଲ ଉତ୍ପାଦନ ହୋଇଛି।
ରାଜ୍ୟରେ ସଫା ହୋଇଯିବେ ନକ୍ସଲ। ୫ ବର୍ଷରେ ୪୮ ଜଣ ମାଓବାଦୀ ନିହତ, ୭୮ ଗିରଫ ହୋଇଛନ୍ତି। ୮୨ ଜଣ ଆତ୍ମସମର୍ପଣ, ୨୦୨୫ରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଛି।