ପାକିସ୍ତାନର ସୀମାପାର ଏୟାର ଷ୍ଟ୍ରାଇକ୍

୧୯ ମୃତ, ୭ ଟିଟିପି ଶିବିରକୁ ଟାର୍ଗେଟ

ପାକିସ୍ତାନ, ୨୨/୦୨: ପାକିସ୍ତାନ ଆଫଗାନିସ୍ତାନରେ ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଛି। ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ସୀମାରେ ପଶି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଆକ୍ରମଣଗୁଡ଼ିକ ଆଫଗାନିସ୍ତାନର ଘନି ଖେଲୋ ଏବଂ ଗରଦା ସାମିଆ ଜିଲ୍ଲାରେ ହୋଇଥିଲା। ସୂଚନା ଅନୁଯାୟୀ, ଏହି ବିମାନ ଆକ୍ରମଣରେ ସାଧାରଣ ନାଗରିକଙ୍କ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ଯେଉଁଥିରେ ଜଣେ ଶିଶୁ ସମେତ ୧୯ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଏହି ସମୟରେ, ପାକିସ୍ତାନ ଦାବି କରିଛି ଯେ ସେ ସୀମା ଆରପାରିରେ ସାତଟି ଆତଙ୍କବାଦୀ ଶିବିର ଏବଂ ଆଡ୍ଡାକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି। ପାକିସ୍ତାନ କହିଛି ଯେ ଏହି ଆଡ୍ଡାଗୁଡ଼ିକ ତେହରିକ-ଏ-ତାଲିବାନ ପାକିସ୍ତାନ ଏବଂ ଇସଲାମିକ୍ ଷ୍ଟେଟ୍-ଖୋରାସାନ ସଂଗଠନର ଥିଲା। ପାକଟିକାର ବାରମଲ୍ ଜିଲ୍ଲାରେ ଏକ ମଦ୍ରାସାକୁ ଟାର୍ଗେଟ କରିଛି ପାକିସ୍ତାନ। ଏହି ଆକ୍ରମଣରେ ମଦ୍ରାସା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା। ପାକିସ୍ତାନୀ ସେନା ଉରଗୁନ୍ ଜିଲ୍ଲା ସହିତ ନଙ୍ଗରହାରର ଖୋଗିଆନି, ବେହସୁଦ୍ ଏବଂ ଘନି ଖେଲ ଜିଲ୍ଲାରେ ମଧ୍ୟ ଏୟାର ଷ୍ଟ୍ରାଇକ୍ କରିଥିଲା।

ପାକିସ୍ତାନ କହିଛି ଯେ ଇସଲାମାବାଦ, ବାଜୌର ଏବଂ ବାନୁର ଇମାମ ବାରଗାରେ ହୋଇଥିବା ବିସ୍ଫୋରଣ ସମେତ ସମ୍ପ୍ରତି ଆତ୍ମଘାତୀ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଫିତନା ଅଲ-ଖାୱାରିଜ (FAK) ଓ ଏହାର ସହଯୋଗୀ ସଂଗଠନ ଏବଂ ଦାଏଶ୍ ଖୋରାସାନ୍ ପ୍ରଦେଶ (DKP)ର ସାତଟି ଶିବିର ଏବଂ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା ବୋଲି ପାକିସ୍ତାନ କହିଛି।