ହର୍ଲିକ୍ସ ପିଉଥିଲେ ସାବଧାନ! ଲୁଣରେ ବି ମିଶୁଛି ବିଷ

ଏହି ୫ ଜିଲ୍ଲା ଅପମିଶ୍ରିତ ଖାଦ୍ୟର‌ ହବ୍!

ଭୁବନେଶ୍ୱର, ୨୩/୦୨: ପିଲାମାନଙ୍କୁ ହର୍ଲିକ୍ସ ପିଇବାକୁ ଦେଉଥିଲେ ସାବଧାନ! ହର୍ଲିକ୍ସରେ ମିଶୁଛି ବିଷ। ଏ ନେଇ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଖୋଦ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗର ତାଲିକାରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ମଧ୍ୟରେ ହର୍ଲିକ୍ସକୁ ଅନ୍ତର୍ଭୁକ୍ତ କରାଯାଇଛି। ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଅପମିଶ୍ରିତ (ନକଲି କିମ୍ବା ମିଶ୍ରିତ) ହର୍ଲିକ୍ସ ଜବତ କରାଯାଇଛି। ଏହା ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ, କାରଣ ଏଭଳି ଉତ୍ପାଦରେ ହାନିକାରକ ପଦାର୍ଥ ମିଶାଯାଇଥାଏ।

ଏହା ସହିତ ରାଜ୍ୟରେ ଅନେକ ଦୈନନ୍ଦିନ ବ୍ୟବହୃତ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରାଯାଉଛି। ବଜାରରେ ଯେଉଁ ବ୍ରେଡ୍, ମସଲା (ମସଲା ପାଉଡର), ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଦହି, ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ, ସୋୟାବିନ ଅଇଲ୍, ଘିଅ, ଲହୁଣୀ (ବଟର), ଚିନି, ପାମ୍ପଡ, ଚକୋଲେଟ, ନୁଡଲ୍ସ ଆଦି ଅନେକ ଜିନିଷରେ ଅପମିଶ୍ରଣ ଚାଲିଛି। ଏମିତିକି ଆମେ ନିଇତି ବ୍ୟବହାର କରୁଥିବା ଲୁଣରେ ମଧ୍ୟ କେତେକ କ୍ଷେତ୍ରରେ ବିଷାକ୍ତ ପଦାର୍ଥ ମିଶ୍ରିତ ହୋଇଥାଏ।

ଖାସ୍ କରି ଖୋର୍ଦ୍ଧା ଜିଲ୍ଲାରେ ଅପମିଶ୍ରଣର ହାର ସବୁଠାରୁ ଅଧିକ ଦେଖାଯାଇଛି। ଏଠାରେ ଅଧିକାଂଶ ସାଧାରଣ ଖାଦ୍ୟ ଦ୍ରବ୍ୟରେ ମିଶ୍ରଣ ଖରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ ଉଲ୍ଲେଖ ରହିଛି।