ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ଵ ରେକର୍ଡ଼

ପୂର୍ବ ରେକର୍ଡ଼କୁ ଭାଙ୍ଗିଲେ ୭ ଜଣ ଟେରାକୋଟା କାରିଗର

ରେକର୍ଡ଼ କଲେ ବରଗଡ଼ର ସେବକ ରଣା

ଭୁବନେଶ୍ୱର, ୨୪/୦୨: ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ଵ ରେକର୍ଡ଼ କରିଛି ଓଡ଼ିଶା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ “ଭବ୍ୟ ଟେରାକୋଟା କୃତି ପ୍ରସ୍ତୁତି” ପ୍ରତିଯୋଗିତାରେ ଦୁଇଟି ନୂଆ କୀର୍ତ୍ତିମାନ “ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍” ଲିପିବଦ୍ଧ ହୋଇଛି । ଏକକାଳୀନ ୧୦୦୦ ମୃତ୍ତିକା ଶିଳ୍ପୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସର୍ବାଧିକ ପ୍ରତିଯୋଗୀ ବର୍ଗରେ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି । ସେହିପରି ପୂର୍ବ ରେକର୍ଡ଼କୁ ଭାଙ୍ଗି ୭ ଜଣ ମୃତ୍ତିକା କାରିଗର ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି ।

ବରଗଡ଼ର ଟେରାକୋଟା ହସ୍ତଶିଳ୍ପୀ ସେବକ ରଣା ଏକ ଘଣ୍ଟା ମଧ୍ୟରେ ୩୧୦ ଟି ଗ୍ଳାସ୍ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ନୟାଗଡ଼ର ମାଧବ ମୁଦୁଲି, ବଲାଙ୍ଗୀରର ଥାନ ସୁନ୍ଦର ରଣା, ବାଲେଶ୍ୱରର ରମେଶ ଚନ୍ଦ୍ର ମୁଦୁଲି, ଅନୁଗୁଳର ବିଜୟ ବେହେରା, ବଲାଙ୍ଗୀରର ବସନ୍ତ ରଣା, କେନ୍ଦ୍ରାପଡ଼ାର ମକର କେତନ ସାହୁ ଯଥାକ୍ରମେ ୨୪୮, ୨୩୨, ୨୩୦, ୨୨୭, ୨୧୯ ଓ ୨୧୮ ଟି ମାଟି ପାତ୍ର ପ୍ରସ୍ତୁତ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆମେରିକାର ମାଇକେଲ୍ ୱେବର୍ ଏକ ଘଣ୍ଟା ସମୟ ମଧ୍ୟରେ ୨୧୨ ଟି ମାଟି ପାତ୍ର ପ୍ରସ୍ତୁତ କରି “ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍”ରେ ସ୍ଥାନ ପାଇଥିଲେ । ଓଡ଼ିଶାର ୭ ଜଣ ଟେରାକୋଟା ହସ୍ତଶିଳ୍ପୀ ଆଜି ଏହି ରେକର୍ଡ଼କୁ ଭାଙ୍ଗିଛନ୍ତି ।

ସ୍ଥାନୀୟ କଳାଭୂମିଠାରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକଭାବେ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉଦ୍ଘାଟନ କରି କହିଥିଲେ, “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ଆମ ସମୃଦ୍ଧ ହସ୍ତଶିଳ୍ପର ପରିଚୟ । ଟେରାକୋଟା ଶିଳ୍ପୀମାନେ ଆମ ଐତିହ୍ୟର ବାର୍ତ୍ତାବହ । ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ । ଟେରାକୋଟା ଶିଳ୍ପୀମାନଙ୍କ ପାଇଁ ଆଜି ଆମେ ଗର୍ବିତ । ପ୍ରତିଯୋଗିତା ପରେ ରେକର୍ଡ଼ ସୃଷ୍ଟି କରିଥିବା ଟେରାକୋଟା ହସ୍ତଶିଳ୍ପୀମାନଙ୍କୁ ମାନନୀୟ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ଭୋକାଲ ଫର ଲୋକାଲ ମାଧ୍ୟମରେ ସ୍ଵଦେଶୀ ହସ୍ତଶିଳ୍ପ ଓ ଟେରାକୋଟା ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ନିଆଯାଉଆଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ୬୪ଟି ହସ୍ତଶିଳ୍ପ ମଧ୍ୟରୁ “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ହେଉଛି ଅତ୍ୟନ୍ତ ପୁରାତନ ହସ୍ତଶିଳ୍ପ । ଏହି ହସ୍ତଶିଳ୍ପ ମାଧ୍ୟମରେ ରାଜ୍ୟରେ ୩୬ ହଜାରରୁ ଅଧିକ କାରିଗର ଜୀବିକା ନିର୍ବାହ କରୁଛନ୍ତି । ରାଜ୍ୟରେ ୪୦ ରୁ ଅଧିକ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି ।

ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଡକ୍ଟର ନିବେଦିତା ପୁଷ୍ଟି, ପଦ୍ମଶ୍ରୀ ବିନୋଦ ମହାରଣା, ଜାତୀୟ ପୁରସ୍କାର ପ୍ରାପ୍ତ ଟେରାକୋଟା କାରିଗର ମନବୋଧ ରଣା ଓ ମୁକୁନ୍ଦ ରଣା, ସିଡାକର ସଦସ୍ୟ ସଚିବ ଚିନ୍ମୟୀ ବିଶ୍ୱାଳ, “ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍”ର ଉପସଭାପତି ରାଜୀବ ଶ୍ରୀବାସ୍ତବ ଓ ନିର୍ଦ୍ଦେଶକ ରାଜେଶ ଶୁକ୍ଲା, ଯୁଗ୍ମ ସଚିବ ମମତା ନାୟକ, ଉପ-ନିର୍ଦ୍ଦେଶକ ମାନଗୋବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।