୨୦୨୭ ଜନଗଣନା ପାଇଁ ଗଜପତିରେ ଦୁଇ ଦିନ ତାଲିମ୍ ଶିବିର

ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଜନଗଣନା କାର୍ଯ୍ୟ ଆରମ୍ଭ ହେବ

ପାରଳାଖେମୁଣ୍ଡି, ୨୬/୦୨:ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇ ଦିନିଆ ଜନଗଣନା ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ମୁନୀନ୍ଦ୍ର ହୋନନାଗା ,ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ରାଜ୍ୟ ମାଷ୍ଟର ଟ୍ରେନର ସନ୍ତୋଷ କୁମାର ଅଚାରୀ,ଉପନିର୍ଦ୍ଦେଶକ ଯୋଜନା ଗଜପତି ଶ୍ରୀ ପ୍ରକାଶ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ।

ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ୨୦୨୭ ଜନଗଣନା ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନର ଭାବେ, ସମସ୍ତ ତହସିଦାର, ଅତିରିକ୍ତ ତହସିଲଦାର, ଜିଲ୍ଲା ଶିକ୍ଷା ଅଧିକାରୀ,ଓ ନିର୍ବାହୀ ଅଧିକାରୀ ମାନଙ୍କୁତାଲିମ ଦିଆଯାଇଛି।

ଉକ୍ତ ତଳିମ୍ ଶିବିରରେ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ ଭାରତୀୟ ସାମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ୧୦ ବର୍ଷରେ ଦେଶରେ ଜନଗଣନା କରାଯାଇଥାଏ । ଶେଷ ଥର ପାଇଁ ଏହା ୨୦୧୧ ମସିହାରେ ଅନୁଷ୍ଠିତ ହୋଇଥିଲା। ମହାମାରୀ କୋଭିଡ ପାଇଁ ୨୦୨୧ ମସିହାରେ ଜନଗଣନା ହୋଇ ପାରିନଥିଲା ଯାହାକି ୨୦୨୭ ମସିହାରେ ହେବାକୁ ଯାଉଛି। ଜନଗଣନା ମୁଖ୍ୟତଃ ୨ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଜନଗଣନା ହେବା ପୂର୍ବରୁ ଏହାର ପ୍ରଥମ ଉପକ୍ରମ ଭାବେ ଏକ ବର୍ଷ ପୂର୍ବରୁ ଗୃହ ଜନଗଣନା କାର୍ଯ୍ୟ ହେବ ଯାହାକି ଚଳିତ ବର୍ଷ ୧୬ ଏପ୍ରିଲରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ହେବ ଏହି କ୍ରମରେ ଗୃହ ତାଲିକା ଜନଗଣନା ହେବ। ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସଠିକ ଓ ସ୍ୱଚ୍ଛ ଭାବେ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଜନଗଣନା ସୁବିଧା ପୋର୍ଟାଲରେ ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହା ପରଠାରୁ ନିୟୋଜିତ ହୋଇଥିବା ଅଧିକାରୀଙ୍କ ଦ୍ୱାରା ମୋବାଇଲ ଆପ ଜରିଆରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯିବ।

ଗୃହ ତାଲିକା ବ୍ଲକର ଅପହଞ୍ଚ ଓ ଦୁର୍ଗମ ଅଂଚଳ ପ୍ରତି ଅଧିକ ଧ୍ୟାନ ଦିଆଯିବ। ଏହାର ସୁପରିଚାଳନ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ, ମାଷ୍ଟର ପ୍ରଶିକ୍ଷକ, କ୍ଷେତ୍ର ପ୍ରଶିକ୍ଷକ, ଗଣନାକାରି ଓ ସୁପରଭାଇଜର ନିୟୋଜିତ କରାଯିବା ବ୍ୟବସ୍ଥା ରହିଛି।

ଦୁଇଦିନିଆ ତାଲିମ୍ ଶିବିରରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଜିଲ୍ଲାସ୍ତରୀୟ ନିୟୋଜିତ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନର ଭାବେ, ତହସିଲ ଓ ସହରାଞ୍ଚଳ ସ୍ତରୀୟ ଅଧିକାରୀ ମାନଙ୍କୁ କ୍ଷେତ୍ରୀୟ ଟ୍ରେନର ଭାବେ ନିୟୋଜିତ କରାଯିବ ବୋଲି କହିଥିଲେ।

ଏଥର ଦେଶରେ ପ୍ରଥମ କରି ଡିଜିଟାଲ ମାଧ୍ୟମରେ ଜନଗଣନା ହେଉଥିବାରୁ ବୈଷୟିକ ଜ୍ଞାନ କୌଶଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଗଣନା କେବଳ ବ୍ୟକ୍ତବିଶେଷଙ୍କ ଗଣନା ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଲିପିବଦ୍ଧ ରହବା ଆବଶ୍ୟକ। ସମସ୍ତେ ଯେପରି ନିଜର ସଠିକ ତଥ୍ୟ ପ୍ରଦାନ କରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ତେଣୁ ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଶା ପ୍ରକଟ କରିଥିଲେ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ପ୍ରଶିକ୍ଷଣ ଶିବିରରେ ତହସିଲଦାର, ଅତିରିକ୍ତ ତହସିଲଦାର, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜନଗଣନା କାର୍ଯ୍ୟରେ ସଂଶ୍ଲିଷ୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।