କୋରାପୁଟ, ୨୭/୦୨: କୋରାପୁଟ ପୁଲିସ ଏକ ଐତିହାସିକ ଅଭିଯାନରେ ଜଲାପୁଟ ଜଳାଶୟ ମଧ୍ୟରେ ଥିବା ଏକ ଦୂର୍ଗମ ଦ୍ୱୀପରୁ ଚାଲୁଥିବା ଆନ୍ତର୍ରାଜ୍ୟ ନିଶା ତିଆରି କାରଖାନାକୁ ଧ୍ୱଂସ କରି ଏକ ଐତିହାସିକ ସଫଳତା ହାସଲ କରିଛି। ପାଡୁଆ ଥାନା ମାମଲା ନଂ ୩୦/୨୦୨୬ ଅନୁଯାୟୀ ଏନ୍ ଡି ପି ଏସ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।୨୬ ଫେବୃଆରୀରେ ଗୁପ୍ତ ସୂଚନା ଆଧାରରେ କୋରାପୁଟ ଏସପି ରୋହିତ୍ ବର୍ମାଙ୍କ ନେତୃତ୍ବରେ ପୁଲିସ ନୌକା ମାଧ୍ୟମରେ ଜଳାଶୟ ପାର୍ କରି ଘନ ଜଙ୍ଗଳ ଭିତରକୁ ପ୍ରବେଶ କରିଥିଲା। ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଘନ ଜଙ୍ଗଳର ଆଡ଼ ନେଇ ପଳାଇ ଯାଇଥିଲେ। ପରେ ୩୦ ଘଣ୍ଟା ଧରି କର୍ଡନ୍ ଏଣ୍ଡ ସର୍ଚ୍ଚ ଅପରେସନ ଚାଲିଥିଲା। ଜଳାଶୟର ସମସ୍ତ ନୌକା ଘାଟ ସ୍ଥଳ ସିଲ୍ କରାଯାଇଥିଲା। ୬ଟି ଦଳ ଗଠନ କରି ଦ୍ୱୀପକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇ ଡ୍ରୋନ୍ ସହ ଗ୍ରିଡ୍ ସର୍ଚ୍ଚ କରାଯାଇଥିଲା। ଶେଷରେ ମାଷ୍ଟରମାଇଣ୍ଡ ସହ ୭ ଜଣକୁ ଗିରଫ କରାଯାଇଛି। ଜବତ ସାମଗ୍ରୀରେ ୧୮୦୦.୫ ଲିଟର ହାଶିଶ ତୈଳ (ଆନୁମାନିକ ମୂଲ୍ୟ ୨୨୫ କୋଟି ଟଙ୍କା),୧୦୦୦ କିଲୋ ଶୁଖିଲା ଗଞ୍ଜେଇ (ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା), ୨୮ କେଭି ହୋଣ୍ଡା ଜେନେରେଟର, ପ୍ରେସର କୁକର, ଧାତୁ ପାଇପ, କନେକ୍ଟର ଓ ପୂର୍ଣ୍ଣ ଲ୍ୟାବ୍ ସେଟଅପ୍, ୮୦ ଲିଟର କେମିକାଲ୍ ସଲଭେଣ୍ଟ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲପତ୍ର ଜବତ ହୋଇଛି। ପୁଲିସ ତଦନ୍ତରେ ଜଣାପଡ଼ିଛି ଯେ ଏହି ଚକ୍ରର ମୁଖ୍ୟ ଚାଳକ ବା ମାଷ୍ଟରମାଇଣ୍ଡ ହେଉଛନ୍ତି କେରଳର ଏଲେନ୍ ଜୟରାଜ (୩୩), ଯାହାଙ୍କ ବିରୁଦ୍ଧରେ ପୂର୍ବରୁ ଗୁରୁତର ଆପରାଧିକ ମାମଲା ରହିଛି। ସେ ଉନ୍ନତ ପ୍ରଯୁକ୍ତି ଓ ବହୁ ପର୍ଯ୍ୟାୟ ରସାୟନିକ ପ୍ରକ୍ରିୟା ମାଧ୍ୟମରେ ଗଞ୍ଜେଇରୁ ଉଚ୍ଚ ଶୁଦ୍ଧତାର ହାଶିଶ ତୈଳ ତିଆରି କରୁଥିଲେ। ତାଙ୍କ ସହ କେରଳର ଅନ୍ୟାନ୍ୟ ସଦସ୍ୟ ଡି କିରଣ (୩୩), ଆନନ୍ଦ ରାଜ (୨୮), ବି ବିଥୁ (୩୪) ଓ ସ୍ଥାନୀୟ ସହଯୋଗୀ ଲଇଛନ ଖିଲ (୨୫)(ମାଲକାନଗିରି) ଓ ସାଧୁ ପାଙ୍ଗି (୪୫) (ପାଡୁଆ,କୋରାପୁଟ) ବ୍ଯବସ୍ଥାପନାମୂଳକ ସହଯୋଗ କରୁଥିଲେ। ଏହି ମାମଲାର ତଦନ୍ତ ପାଇଁ ବିଶେଷ ତଦନ୍ତ ଦଳ (ଏସଆଇଟି) ଗଠନ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ ରିମାଣ୍ଡରେ ନେଇ ବୈଜ୍ଞାନିକ ତଦନ୍ତ, ଫରେନ୍ସିକ୍ ବିଶ୍ଳେଷଣ ଓ ଆର୍ଥିକ ଲେଣଦେଣ ଯାଞ୍ଚ କରାଯିବା ସହ ଅନ୍ୟ ରାଜ୍ୟ ସଂଯୋଗ ଖୋଜିବାକୁ ୩ଟି ଦଳ ପଠାଯାଇଛି। ତଦନ୍ତ ଚାଲିଥିବାରୁ ଅନ୍ୟ ଅଭିଯୁକ୍ତଙ୍କ ନାମ ପ୍ରକାଶ ପାଇନାହିଁ ବୋଲି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି କେ ବିଶାଳ ସିଂ ଏକ ସାମ୍ୱାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି। କୋରାପୁଟ ପୁଲିସ “ନଶା ମୁକ୍ତ ଓଡ଼ିଶା” ଅଭିଯାନକୁ ସଫଳ କରିବା ପାଇଁ ସାଧାରଣ ଲୋକଙ୍କ ସହଯୋଗ ଆହ୍ୱାନ କରିଛି। ଏହି ଅଭିଯାନକୁ ଓଡ଼ିଶାର ଇତିହାସରେ ସବୁଠୁ ବଡ଼ ନିଶା ବିରୋଧୀ କାର୍ଯ୍ୟବାହୀ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।