ବାରିପଦା, ୦୩/୦୩: କଙ୍ଗାରୁ କୋର୍ଟର ଶୁଣାଣିରେ ଚାଲିଗଲା ଜଣେ ମାଟ୍ରିକ ଛାତ୍ରଙ୍କ ଜୀବନ। ମୟୂରଭଞ୍ଜରେ ‘କଙ୍ଗାରୁ କୋର୍ଟ’ରେ ଜଣେ ନାବାଳକଙ୍କୁ ପିଟିପିଟି ମାରିଦେବା ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଇନ୍ଦାକୋଲି ଗାଁରେ ଘଟିଛି।
ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟୁକାବାଡି ଗ୍ରାମର ୧୫ ବର୍ଷୀୟ ଛାତ୍ର ସମ୍ବିତ ବିନ୍ଧାଣୀଙ୍କୁ ଛେଳି ଚୋରି ସନ୍ଦେହରେ ଗ୍ରାମବାସୀମାନେ ପିଟିପିଟି ହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ, ସମ୍ବିତ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗାଁରେ ତାଙ୍କ ମାମୁଙ୍କ ଘରେ ରହୁଥିଲେ ଏବଂ ବାସିଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ପାଖରେ ଇନ୍ଦାକୋଲି ଗାଁରେ ଥିବା ନେଶା ଡ୍ୟାମକୁ ବୁଲିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଛି। ଗ୍ରାମବାସୀମାନେ ଛେଳି ଚୋରି ସନ୍ଦେହରେ ତାଙ୍କ ସହ ଆଉ ଜଣଙ୍କୁ ମଧ୍ୟ ଅତ୍ୟନ୍ତ ଲହୁଲୁହାଣ କରିବା ଯାଏଁ ପିଟି ଚାଲିଥିଲେ। ପରେ ପୋଲିସ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ସମ୍ବିତଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଜଣଙ୍କ ଚିକିତ୍ସାରତ ଅଛନ୍ତି।
ଏହି ସମୟରେ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି।