ଭୁବନେଶ୍ୱର, ୦୩/୦୩: ଗଣମାଧ୍ୟମକୁ ସୂଚନା ଦେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀପ ରାୟ। ରାଜ୍ୟସଭା ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀପ ରାୟ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ନେତା ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଖବର ରାଜ୍ୟ ରାଜନୀତିରେ ନୂଆ ହଇଚଇ ସୃଷ୍ଟି କରିଛି।
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ୫ ତାରିଖରେ ନାମାଙ୍କନ ଭରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟସଭା ପାଇଁ ମୁଁ ସ୍ୱାଧୀନ ପ୍ରାର୍ଥୀ ହେଉଛି। ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି।
ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ହଠାତ୍ ଦିଲ୍ଲୀପ ରାୟ ପ୍ରାର୍ଥୀତ୍ୱର ଖବର ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି।
ତେବେ ପୂର୍ବରୁ ମଧ୍ୟ ଦିଲ୍ଲୀପ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେଡ଼ିକୁ ଚକମା ଦେଇଥିଲେ। ୨୦୦୨ରେ ବିଜେଡ଼ିର ବିରୋଧ ସତ୍ତ୍ଵେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏଥର ମଧ୍ୟ ଦିଲ୍ଲୀପଙ୍କ ଏହି ଘୋଷଣା ପରେ ଏବେ ରୋଚକ ହେବ ରାଜ୍ୟସଭା ଲଢେଇ।