ଭୁବନେଶ୍ୱର, ୦୩/୦୩: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ମନମୋହନ ସାମଲ ଦୀର୍ଘ ବର୍ଷ ଧରି ରାଜ୍ୟ ବିଜେପିର ମଙ୍ଗ ଧରିଥିବା ବେଳେ ତାଙ୍କର ଓଡିଶା ସମେତ ଓଡ଼ିଶା ବାହାରେ ମଧ୍ୟ ଜଣେ ଦକ୍ଷ ସଂଗଠକ ଭାବରେ ଅନେକ ଅଭିଜ୍ଞତା ରହିଛି। ଅତୀତରେ ସେ ଜଣେ ବିଧାୟକ ହୋଇଥିବା ବେଳେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ଓଡ଼ିଶାରେ ମନ୍ତ୍ରୀ ରହିଥିବା ସହ ବିଜେପିର ଦୀର୍ଘ ସମୟ ଧରି ସଭାପତି ରହିଛନ୍ତି।
ଏପରିକି ଦଳ ଯେତେବେଳେ ସଙ୍କଟ ସମୟରେ ଥାଏ, ସେତେବେଳେ ସଙ୍କଟ ମୋଚକ ଭୂମିକା ଗ୍ରହଣ କରି ଦଳକୁ ଅନେକ ସଫଳତା ଆଣି ଦେଇଛନ୍ତି। ଓଡ଼ିଶାର ୩୧୪ ବ୍ଲକରେ ତାଙ୍କର ପ୍ରଭାବ ରହିଛି। ଓଡ଼ିଶାର ସବୁ ବ୍ଲକର ଦଳୀୟ କର୍ମୀମାନଙ୍କ ନାଁ ମଧ୍ୟ ତାଙ୍କ ମୁହଁରେ ଥାଏ ବୋଲି କୁହାଯାଏ।
୨୦୨୪ ସାଧାରଣ ନିର୍ବାଚନରେ ମନମୋହନଙ୍କ ନେତୃତ୍ୱରେ ଦଳ ପ୍ରଥମ କରି ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ମନମୋହନଙ୍କ ରାଜନୈତିକ କ୍ୟାରିୟରର ସବୁଠୁ ବଡ଼ ଉପଲବ୍ଧି। ମନମୋହନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ କେନ୍ଦ୍ରୀୟ ନେତୃତ୍ବ ଚୟନ କରିବା ପରେ ସବୁରି ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ତାଙ୍କ ନିର୍ବାଚନ ମଣ୍ଡଳୀ ଚାନ୍ଦବାଲି ସମେତ ଭଦ୍ରକ ଜିଲ୍ଲା ଓ ବିଭିନ୍ନ ପ୍ରାନ୍ତରୁ ସମର୍ଥକ ମାନେ ହୋଲି ପୂର୍ବରୁ ଆଗୁଆ ରଙ୍ଗ ବୋଳି ହୋଲି ମନାଇଛନ୍ତି। ମନମୋହନ ସାମଲ ଉପକୂଳ ଓଡ଼ିଶାର ହୋଇଥିଲେ ମଧ୍ୟ ସାରା ରାଜ୍ୟରେ ତାଙ୍କର ବେଶ୍ ପ୍ରଭାବ ରହିଛି। ଓଡ଼ିଶାର ସାର୍ବଜନୀନ ବିକାଶ ହେଉ। ଦଳ ତରଫରୁ ଯାହା ଦାୟିତ୍ୱ ଦିଆଯିବ, ତାହାକୁ ସୂଚାରୁରୂପେ ତୁଲାଇବୁ ବୋଲି କହିଛନ୍ତି ମନମୋହନ।
ଗଣମାଧ୍ୟମରେ ପ୍ରତିକ୍ରିୟାରେ ମନମୋହନ ସାମଲ କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେଇଛି, ତାହାକୁ ସ୍ୱୀକାର କରିବା ଉଚିତ୍। କେନ୍ଦ୍ରୀୟ ନେତୃତ୍ବ ଓ ସାଧାରଣ ଲୋକଙ୍କ ନିଷ୍ପତ୍ତି କାରଣରୂ ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି। ଦୀର୍ଘ ମାସ ଧରି ଚାଲିଥିବା ମୋହନ ମାଝୀଙ୍କ ସରକାର ଓଡ଼ିଶାର ଲୋକଙ୍କ ସ୍ବପ୍ନ ପୂରଣ କରିବାରେ ନିଶ୍ଚୟ କାର୍ଯ୍ୟ କରିବ। ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହେବେ। ଭାରତୀୟ ଜନତା ପାର୍ଟି ତରଫରୁ ତାଙ୍କୁ ସମର୍ଥନ କରାଯିବ। ସୁଜିତ କୁମାରଙ୍କ ବିଷୟରେ ମନମୋହନ କହିଛନ୍ତି, ସୁଜିତଙ୍କର ବେଶ ଅଭିଜ୍ଞତା ରହିଛି। ୬ ବର୍ଷ ଧରି ସାଂସଦ ରହିଛନ୍ତି। କେବିକେ ବିକାଶରେ ତାଙ୍କର ଅନେକ ଅବଦାନ ରହିଛି। ତାଙ୍କ ଉପରେ ବିଶ୍ବାସ ଓ ଭରସା ରହିଛି। ସାଂସଦ ଭାବେ ପୁନର୍ବାର ନିର୍ବାଚିତ ହେବା ପରେ ସେ ଆଗକୁ ଆହୁରି କାର୍ଯ୍ୟ କରିବେ।
ସେହିପରି ସୁଜିତ କୁମାର ଅତୀତରେ ରାଜ୍ୟସଭା ସାଂସଦ ରହି ଆସିଛନ୍ତି। ସୁଜିତ କୁମାର ପଶ୍ଚିମ ଓଡ଼ିଶାର ହୋଇଥିଲେ ମଧ୍ୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ସେ କଳାହାଣ୍ଡି ଜିଲ୍ଲାର ହୋଇଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି।
ଗଣମାଧ୍ୟମରେ ପ୍ରତିକ୍ରିୟାରେ ସୁଜିତ କହିଛନ୍ତି, ଦଳ ମୋତେ ବିଶ୍ୱାସ କରି ଯେଉଁ ଦାୟିତ୍ୱ ଦେଇଛି ସେଥିପାଇଁ ମୁଁ କୃତଜ୍ଞ। ୬ ବର୍ଷ ଧରି ସାଂସଦ ରହିଥିବା ବେଳେ ଶତ ପ୍ରତିଶତ ଦେବାକୁ ଚେଷ୍ଟା କରିଛି। ଆଗକୁ ଆହୁରି ସମର୍ପିତ ଭାବରେ ରାଜ୍ୟ ଓ ଦେଶ ପାଇଁ ସାଂସଦ ଭାବେ ଯାହା କର୍ତ୍ତବ୍ୟ ରହିବ, ତାକୁ ପୂରା କରିବାକୁ ଚେଷ୍ଟା କରିବି। ଓଡ଼ିଶାର ସାର୍ବଜନୀନ ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ସୁଜିତ।