ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

୪୦-୫୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର, ୦୭/୦୩: ଆଜିଠାରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି‌। ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତେବେ କାଳବୈଶାଖୀ ପ୍ରଭାବରେ ୯ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ।

୭ ଓ ୮ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଓ ୪୦ରୁ ୫୦ କିମି ଯାଏଁ ପବନ ବହିବାର ସମ୍ଭାବନା ରହିଛି। ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡିରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି। ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।