ଓଡ଼ିଶାରେ ରୁଫ୍ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ରୁଫ୍ଟପ୍ ସୋଲାର କାର୍ଯ୍ୟକାରୀ କରିବା ପାଇଁ ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡ଼ିସକମ, ବ୍ୟାଙ୍କ ଏବଂ ଭେଣ୍ଡରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି
ଭୁବନେଶ୍ୱର, ୦୮/୦୩: ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ସଫଳ ରୂପାୟନ ପାଇଁ ଟିପିସିଓଡିଏଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ସେଣ୍ଟରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ବିଦ୍ୟୁତ ବିତରଣ କମ୍ପାନୀ, ବ୍ୟାଙ୍କ ପ୍ରତିନିଧି ଏବଂ ପଞ୍ଜିକୃତ ଭେଣ୍ଡରମାନେ ଏକତ୍ରିତ ହୋଇଥିଲେ। ରାଜ୍ୟରେ ରୁଫ୍ଟପ୍ ସୋଲାର ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ପରିଚାଳନା କ୍ଷେତ୍ରରେ ଥିବା ଅସୁବିଧାକୁ ଦୂର କରିବା, ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ଓଡ଼ିଶାର ରୁଫ୍ଟପ୍ ସୋଲାର କ୍ଷେତ୍ରରେ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି। ବ୍ୟାଙ୍କ, ଭେଣ୍ଡର ଏବଂ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ, ଯାହାଦ୍ୱାରା ଠିକ୍ ସମୟରେ ଋଣ ପ୍ରଦାନ ଏବଂ ସୁରୁଖୁରୁରେ ଯୋଜନାର କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ ଏବଂ ଅଧିକରୁ ଅଧିକ ପରିବାର ସ୍ୱଚ୍ଛ ଓ ସୁଲଭ ଶକ୍ତି ଦ୍ୱାରା ଉପକୃତ ହୋଇପାରିବେ।”
ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀ ଗଜାନନ କାଲେ, ଏହି ଯୋଜନା ଅଧୀନରେ ଥିବା ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା ପାଇଁ ସୁଦୃଢ଼ ଭାଗିଦାରୀର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, “ଏହି ପଦକ୍ଷେପର ସଫଳତା ଆର୍ଥିକ ଅନୁଷ୍ଠାନ, ଭେଣ୍ଡର ଏବଂ ଡ଼ିସକମ ଗୁଡ଼ିକ ମଧ୍ୟରେ ଥିବା ନିରନ୍ତର ସହଯୋଗ ଉପରେ ନିର୍ଭର କରେ। ପରିଚାଳନା କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକୁ ମିଳିତ ଭାବେ ସମାଧାନ କରି ଆମେ ରୁଫ୍ଟପ୍ ସୋଲାର ଗ୍ରହଣ କରିବା ପ୍ରକ୍ରିୟାକୁ ବୃଦ୍ଧି କରିପାରିବା ଏବଂ ଓଡ଼ିଶାର ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନରେ ଅବଦାନ ରଖିପାରିବା।”
ଏହି ପାରସ୍ପରିକ ଆଲୋଚନା ଅଧିବେଶନ ମାଧ୍ୟମରେ ବ୍ୟାଙ୍କର ଏବଂ ଭେଣ୍ଡରମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହ ବାସ୍ତବିକ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ ଏବଂ ସଂଯୋଗ ପ୍ରକ୍ରିୟାକୁ ଶୀଘ୍ର କରିବା ପାଇଁ ତଥା ଉପଭୋକ୍ତାମାନଙ୍କୁ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ସମାଧାନର ପନ୍ଥା ଖୋଜିଥିଲେ। ସମଗ୍ର ଓଡ଼ିଶାରେ ଏହି ଯୋଜନାର ପ୍ରଭାବଶାଳୀ ରୂପାୟନ ଏବଂ ସମନ୍ୱୟ ରକ୍ଷା ପାଇଁ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଏକ ମିଳିତ ପ୍ରତିବଦ୍ଧତା ସହିତ ବୈଠକ ଶେଷ ହୋଇଥିଲା।
ଏହି ବୈଠକରେ ଶ୍ରୀମତୀ ସାଗରିକା ହୋତା, ନିର୍ଦ୍ଦେଶିକା, ଇନଷ୍ଟିଚ୍ୟୁସନାଲ ଫାଇନାନ୍ସ , ଅର୍ଥ ବିଭାଗ; ଶକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀ ସାଇ ଦତ୍ତ ବିପ୍ଳବ କେଶରୀ ପ୍ରଧାନ; ଏସଏଲବିସି ଓଡ଼ିଶା ଇନଚାର୍ଜ ଶ୍ରୀ ଲିଙ୍ଗରାଜ ନାୟକ; ଶ୍ରୀ ଅରଭିନ୍ଦ ସିଂହ, ସିଇଓ, ଟିପିସିଓଡିଏଲ ଏବଂ ଆରଇସି ଭୁବନେଶ୍ୱରର ଚିଫ ପ୍ରୋଜେକ୍ଟ ମ୍ୟାନେଜର ଜୋଗୀନାଥ ପ୍ରଧାନଙ୍କ ସମେତ ଡ଼ିସକମ, ବ୍ୟାଙ୍କ ଏବଂ ପଞ୍ଜିକୃତ ଭେଣ୍ଡରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।