ନିଘୋଡ଼ ନିଦରେ ଶୋଇଛନ୍ତି ନିଶାରେ ଚୁର୍ ପ୍ରଧାନଶିକ୍ଷକ
ବହି ଭର୍ତ୍ତି ବ୍ୟାଗ୍ ଫୋପାଡି ଖେଳରେ ମାତିଛନ୍ତି ପିଲା
ସ୍କୁଲର ଚାଉଳ ବିକି ମଦ ପିଉଛନ୍ତି ପ୍ରଧାନଶିକ୍ଷକ!
କନ୍ଧମାଳ, ୧୨/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡା ସୁଡ୍ରା ପଞ୍ଚାୟତର ତଗାବାଜୁ ବିଦ୍ୟାଳୟରେ ପାଠ ପଢାଇବା ବଦଳରେ ନିଶାରେ ଚୁର୍ ହୋଇ ଶୋଇଛନ୍ତି ପ୍ରଧାନଶିକ୍ଷକ ନୀଳମାଧବ ସାହାଣୀ। ଏପଟେ କ୍ଳାସ ରୁମ ଟେବୁଲରେ ମଦ୍ୟପ ଶିକ୍ଷକ ନିଶାଗ୍ରସ୍ତ ହୋଇ ଶୋଇଥିବା ବେଳେ ଛାତ୍ରଛାତ୍ରୀମାନେ ଏକ ସ୍ଥାନରେ ବହି ପତ୍ର ବ୍ୟାଗ୍ ଫୋପାଡି ଦେଇ ଖେଳ କୁଦରେ ମାତିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ପ୍ରକାରେ ଶିକ୍ଷକ ଜଣଙ୍କ ସବୁଦିନେ ଏଭଳି ମାତାଲ୍ ହୋଇ ଆସୁଛନ୍ତି। ଯଦି କେହି ଅଭିଯୋଗ କରେ ତାଙ୍କ ସହିତ ଝଗଡା ଲାଗିବା ସହିତ ଗାଳିଗୁଳଜ କରି ବିଭିନ୍ନ ଧମକ ଚମକ ଦେଇଥାନ୍ତି। ତେଣୁ ଉକ୍ତ ଶିକ୍ଷକଙ୍କ ଏଭଳି ମନମାନିକୁ ନେଇ ଭୟରେ କେହି ଅଭିଯୋଗ କରନ୍ତି ନାହିଁ। ବିଦ୍ୟାଳୟର ଚାଉଳକୁ ହଡପ କରି ଏଭଳି ମାତାଲ ହେଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ସବୁ ଜାଣି ମଧ୍ୟ ବିଇଓ ମହାଶୟ ନାଭିରେ ତେଲ ପକାଇ ଉକ୍ତ ଶିକ୍ଷକଙ୍କ ବିରୋଧରେ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଅବିଭାବକ।ଏହି ବିଦ୍ୟାଳୟରେ ପାଠ ବଦଳରେ ମାତାଲ ମଦ୍ୟପ ଶିକ୍ଷକଙ୍କ ଶିକ୍ଷାରେ କାଠ ହୋଇଗଲେଣୀ ଛାତ୍ରଛାତ୍ରୀ। ଏ ଭଳି ଶିକ୍ଷକଙ୍କୁ ଜିଲ୍ଲା ପ୍ରଶାସନ କାର୍ଯ୍ୟରୁ ସଂପୂର୍ଣ୍ଣ ନିଲମ୍ବିତ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଅଛି। ଯଦି ଏଭଳି ଶିକ୍ଷକ ରହିବେ ତାହା ସବୁ ଶିକ୍ଷକ ସମାଜ ପ୍ରତି ନିନ୍ଦିତ ହେବା ସହ କଳଙ୍କିତ ହେଉଥିବା ନିଜ ନାମ ଗୁପ୍ତ ରଖି କିଛି ଶିକ୍ଷକ ପ୍ରତିକ୍ରୀୟା ଦେଇଛନ୍ତି। ଏବେ ଦେଖିବା ବାକି ରହିଲା, ଏହି ସମସ୍ତ ଦୃଶ୍ୟ ଦେଖିଲା ପରେ ବ୍ଳକ ଶିକ୍ଷା ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ମଦ୍ୟପ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରୁଛନ୍ତି ନା ଟଙ୍କା ନେଇ ବଞ୍ଚାଉଛନ୍ତି। ମଦ୍ୟପ ଶିକ୍ଷକ ଜଣକ ବାଲିଗୁଡା ସୁନାପାଗାଂ ଠାରେ ସରକାରୀ ଜମିକୁ ଜବରଦଖଲ କରି ବିଳାସପୂର୍ଣ୍ଣ ଘର ନିର୍ମାଣ କରିଥିବା ଜଣାପଡିଛି। ତେଣୁ ତହସିଲ ପ୍ରଶାସନ ଏହାର ସଠିକ୍ ତଦନ୍ତ କରି ଉକ୍ତ ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେବା ସହିତ ସରକାରୀ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଅଛି।