ଭୁବନେଶ୍ୱର, ୧୩/୦୩: ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ। ରାଜ୍ୟସଭା ନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ବିଜେଡ଼ି ଓ କଂଗ୍ରେସ ନାଜ ଦଳୀୟ ବିଧାୟକଙ୍କୁ ଏକଜୁଟ୍ କରିବାକୁ ବଳ କଷୁଛନ୍ତି। ଉଭୟ ଦଳକୁ ରହିଛି କ୍ରସ ଭୋଟିଂର ଭୟ। ଉଭୟ ଦଳର କମାଣ୍ଡୋ ବିଧାୟକମାନଙ୍କ ପାଇଁ ହ୍ୱିପ୍ ଜାରି କରିଛନ୍ତି।
ବିଜେଡି ବିଧାୟକଙ୍କୁ ନବୀନ ପଟ୍ଟନାୟକଙ୍କ ତାଗିଦ। ବିଜେଡି ବିଧାୟକଙ୍କୁ ଚିଠି ଲେଖି ହ୍ବିପ୍ ମାନିବାକୁ ଦେଲେ କଡା ନିର୍ଦ୍ଦେଶ। ଆଜି ଓ ଆସନ୍ତାକାଲି ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।
ନବୀନ ନିବାସରେ ସଂଧ୍ୟା ୫ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ଟ୍ରେନିଂରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି। ରବିବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ଉପସ୍ଥିତି ବାଧ୍ୟତାମୂଳକ ଦର୍ଶାଯାଇଛି। ସୂଚନାଯୋଗ୍ୟ, ୧୧ ତାରିଖରେ ନବୀନ ସବୁ ବିଜେଡ଼ି ବିଧାୟକଙ୍କୁ ଆସନ୍ତା ୧୬ ତାରିଖ ଯାଏଁ ଭୁବନେଶ୍ୱର ନ ଛାଡ଼ିବାକୁ ହ୍ୱିପ୍ ଜାରି କରିଥିଲେ।
ସେହିପରି କଂଗ୍ରେସ ମଧ୍ୟ ନିଜ ବିଧାୟକଙ୍କ ପାଇଁ ହ୍ୱିପ୍ ଜାରି କରିଛି। ୧୩ ତାରିଖରୁ ୧୬ ତାରିଖ ମଧ୍ୟରେ କୌଣସି ବିଧାୟକ ମୁଖ୍ୟାଳୟ ଛାଡ଼ି ନଯିବାକୁ କୁହାଯାଇଛି। ଅନ୍ୟପଟେ ବେଙ୍ଗାଲୁରୁ ଯାଇଛନ୍ତି ରାଜ୍ୟ କଂଗ୍ରେସ ବିଧାୟକ। ୯ ଜଣ ବିଧାୟକ ବେଙ୍ଗାଲୁରୁ ଯାଇଥିବା ସୂଚନା ମିଳିଛି। ପିସିସି ସଭାପତି ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁ ନେଇଥିବା ସୂଚନା ମିଳିଛି। ରାମଚନ୍ଦ୍ର କାଡାମ୍, ରମେଶ ଜେନା, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ ବେଙ୍ଗାଲୁରୁ ଯାଇନାହାନ୍ତି।