ଟ୍ୟାଙ୍କର ସହ ଜିଅନ୍ତା ଜଳିଗଲେ

ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ପିଚୁ ବୋଝେଇ ଟ୍ୟାଙ୍କର

ପାଲଲହଡ଼ା, ୧୩/୦୩: ଅନୁଗୁଳ ଜିଲ୍ଲାର ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟରେ ଜାତୀୟ ରାଜପଥ ୧୪୯ ରେ ଏକ ପିଚୁ ବୋଝେଇ ଟ୍ୟାଙ୍କରରେ ହଠାତ୍ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ, ଗତ କାଲି ରାତି ସାଢ଼େ ୧୧ଟାରେ ଏକ ପିଚୁ ବୋଝେଇ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା, ଯାହା ଫଳରେ ଟ୍ୟାଙ୍କରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଫଳରେ ଭିତରେ ଫସି ରହିଥିବା ଡ୍ରାଇଭର ମଧ୍ୟ ଟ୍ୟାଙ୍କର ସହ ଜୀବନ୍ତ ଜଳିଯାଇ ତାଙ୍କର ମୃତ୍ୟୁ ହୋଇଥିଲା। ଟ୍ୟାଙ୍କରଟି ତାଳଚେରରୁ ପାଲଲହଡ଼ା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା।

ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଘଟଣାର ତଦନ୍ତ ଚାଲିଛି।