ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୬’ ଉଦଘାଟିତ

ଯୋଗଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆଶିଷ ସୁଦ୍ । ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ସହ ଶିଳ୍ପୀ ଓ କଳାକାରମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ।

ନିଜକୁ ଓଡ଼ିଆର ପରିଚୟ ଦେବାର ସାହସ ଓ ଗର୍ବ ରଖନ୍ତୁ ଯୁବପିଢ଼ି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୩/୦୩: ଆମର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଯୁବକ ଯୁବତୀମାନେ ଦେଶରେ ନିଜର ପରିଚୟକୁ ପ୍ରତିପାଦିତ କରନ୍ତୁ ଏବଂ ଓଡ଼ିଆ ଭାବେ ନିଜକୁ ପରିଚୟ ଦେବାର ଗର୍ବ ଓ ସାହସ ଦେଖାନ୍ତୁ । ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ କମ୍ପ୍ଲେକ୍ସ ଠାରେ ଆୟୋଜିତ ‘ଓଡ଼ିଶା ପର୍ବ-୨୦୨୬’କୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ପରିଚୟର ମୂଳଦୁଆ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ବିଶ୍ୱ ଦରବାରରେ ଓଡ଼ିଆମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଆୟୋଜିତ ଏହି ପର୍ବ ଆମ ଅସ୍ମିତାକୁ ପୁନଃସ୍ଥାପିତ କରିବାର ଏକ ମହାନ ଅବସର । ‘ଓଡ଼ିଶା ପର୍ବ’ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ଦକ୍ଷତାର ଅପୂର୍ବ ସମନ୍ୱୟ । ତେବେ ଚଳିତ ବର୍ଷର ଏହି ଉତ୍ସବ ଅଧିକ ଗୌରବମୟ, କାରଣ ଆମେ ଏବେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀ, ଲୌହ ମାନବ ସର୍ଦ୍ଦାର ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, ମା’ ରମାଦେବୀ ଓ ଶହୀଦ ବାଜି ରାଉତଙ୍କ ଭଳି ମହାନ୍ ଜନନାୟକଙ୍କ ସ୍ମୃତି ଚାରଣ ମଧ୍ୟ ଏହି ସମୟକୁ ଅଧିକ ପ୍ରାସଙ୍ଗିକ କରୁଛି ।

ଓଡ଼ିଶା ପର୍ବର ଏହି ମଞ୍ଚ ଆଜି ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ୱୀକୃତି ଲାଭ କରିଛି । ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଦେଶର ବିଶିଷ୍ଟ ନେତୃବୃନ୍ଦ ଏଥିରେ ସାମିଲ ହୋଇ ଆମ ସଂସ୍କୃତିର ଗୌରବକୁ ବୃଦ୍ଧି କରିଛନ୍ତି । ଓଡ଼ିଶା ପର୍ବ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ସଂକଳ୍ପକୁ ଦୃଢ଼ୀଭୂତ କରୁଛି । ଦିଲ୍ଲୀରେ ରହୁଥିବା ସମସ୍ତ ଜନସାଧାରଣ ବିଶେଷ ଭାବରେ ମୋର ପ୍ରବାସୀ ଓଡ଼ିଆ ଭାଇଭଉଣୀମାନଙ୍କୁ ଏହି ପର୍ବକୁ ଆସି ଓଡ଼ିଶାର କଳା, ସଂସ୍କୃତି ଓ ପ୍ରକୃତିର ଅପୂର୍ବ ସମନ୍ୱୟକୁ ଉପଭୋଗ କରିବାକୁ ନିମନ୍ତ୍ରଣ ଦେଇଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ଆଗାମୀ ୧୦ ବର୍ଷ ଆମ ପାଇଁ ଏକ ସଂକଳ୍ପର ସମୟ । ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ ଆହ୍ୱାନକୁ ସାକାର କରିବା ପାଇଁ ସାଢେ ୪ କୋଟି ଓଡ଼ିଆଙ୍କୁ ଏକାଠି ହୋଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ଦାୟିତ୍ୱ ନେବାକୁ ହେବ ବୋଲି ସେ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ପର୍ବ ପରିସରରେ ଆୟୋଜିତ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ସହ ଶିଳ୍ପୀ ଓ କଳାକାରମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷ ଏହି ଉତ୍ସବର ମୁଖ୍ୟ ବିଷୟବସ୍ତୁ “ସଂସ୍କୃତି ଓ ପ୍ରକୃତି” ରଖାଯିବା ତଥା ଏହି ସୁନ୍ଦର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ‘ଓଡ଼ିଆ ସମାଜ’ ଏବଂ ତତସହ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ତିନି ଦିନିଆ ଉତ୍ସବ (ମାର୍ଚ୍ଚ ୧୩ ରୁ ୧୫) ଓଡ଼ିଶାର କଳା, ଖାଦ୍ୟ ଏବଂ ପରମ୍ପରାକୁ ଦିଲ୍ଲୀବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସୁନ୍ଦର ମାଧ୍ୟମ ସାଜିବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଶ୍ରୀ ଆଶିଷ ସୁଦ୍ ଏବଂ ଓଡ଼ିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ଥିଲେ ।