ମୋଜତାବାଙ୍କ ଠିକଣା କୁହ, ୯୨ କୋଟି ନିଅ

ଆମେରିକାର‌ ବଡ଼ ଘୋଷଣା: ଗୋପନ ରହିବ ସୂଚନା ପ୍ରଦାନକାରୀଙ୍କ ନାଁ

ୱାଶିଂଟନ ଡିସି: ୧୪/୦୩: ଇସ୍ରାଏଲ ଏବଂ ଆମେରିକା ଇରାନ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏହି ସମୟରେ, ଆମେରିକା ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଏବଂ ଅନ୍ୟାନ୍ୟ ବରିଷ୍ଠ ଇରାନୀ ଅଧିକାରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛି।

ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସହିତ ଜଡିତ ଅନେକ ବରିଷ୍ଠ ଅଧିକାରୀଙ୍କ ସୂଚନା ଦେବା ପାଇଁ ଆମେରିକା ୧୦ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୯୨ କୋଟି ୬୦ ଲକ୍ଷ ୪୮ ହଜାର ୫୦୦ ଟଙ୍କା ପୁରସ୍କାର ଘୋଷଣା କରିଛି।

ଶୁକ୍ରବାର ଦିନ ଏହି ପ୍ରସ୍ତାବକୁ ଆମେରିକାର ବୈଦେଶିକ ବିଭାଗର ‘ରିୱାର୍ଡସ୍ ଫର୍ ଜଷ୍ଟିସ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସାର୍ବଜନୀନ କରାଯାଇଛି। ଯେଉଁ ବ୍ୟକ୍ତି ସେମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବେ, ସେମାନଙ୍କ ନାମ ଗୋପନ ରଖାଯିବ।

ଯେଉଁ ଇରାନୀ ନେତାମାନଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ସର୍ବୋଚ୍ଚ ନେତା ମୋଜତାବା ଖାମେନି, ସର୍ବୋଚ୍ଚ ନେତାଙ୍କ କାର୍ଯ୍ୟାଳୟର ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଅଲି ଅସଗର ହେଜାଜି ଏବଂ ଇରାନର ସୁରକ୍ଷା ମୁଖ୍ୟ ଅଲି ଲାରିଜାନି ଅଛନ୍ତି। ଆମେରିକା ଏହି ବ୍ୟକ୍ତିଙ୍କ ମଧ୍ୟରୁ କିଛି ଫଟୋ ମଧ୍ୟ ଜାରି କରିଛି।

ଉଲ୍ଲେଖନୀୟ ଯେ, ଆମେରିକା ଇରାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନରେ ହାର ମାନିନାହିଁ। ଇରାନ ବିରୁଦ୍ଧରେ ବିମାନ ଆକ୍ରମଣକୁ ତୀବ୍ର କରୁଛି ଆମେରିକା। ନିକଟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାର ସେନା ନିକଟ ଭବିଷ୍ୟତରେ ଇରାନର ଘାଟି ଉପରେ ଏକ ସିରିଜ ଆକ୍ରମଣ କରିବ।

ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ହତ୍ୟା କରାଯାଇଥିଲା। ଯାହା ପରେ, ତାଙ୍କ ପୁଅ ମୋଜତାବା ଖାମେନେଇଙ୍କୁ ଇରାନର ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି। ମୋଜତାବା ମଧ୍ୟ ପଛକୁ ହଟିବାକୁ ଚାହୁଁ ନାହାଁନ୍ତି, ଯାହା ଫଳରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଚାଲିଛି ଏବଂ ବିମାନ ଆକ୍ରମଣ ପୂର୍ବରୁ ବହୁତ ଜୀବନ ଏବଂ ସମ୍ପତ୍ତି କ୍ଷତି କରିଛି।