କିଛି ସମୟ ପରେ ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା
ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ
ମାହେନ୍ଦ୍ର ବେଳାରେ ଆରମ୍ଭ ହେବ ଗଣତି
ପୁରୀ, ୨୫/୦୩: ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ। ଶ୍ରୀମନ୍ଦିରରେ ପ୍ରବେଶ କରି ସାରିଛନ୍ତି ସ୍ୱତନ୍ତ୍ର ପ୍ରତିନିଧି ଦଳ। ମଧ୍ୟାହ୍ନ ୧୨ଟା ୯ରୁ ୧ଟା ୪୫ ମଧ୍ୟରେ ପ୍ରବେଶ ପାଇଁ ମାହେନ୍ଦ୍ର ବେଳା ସ୍ଥିରୀକୃତ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବେ ଗଣତିମଣତି ଟିମ୍। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯିବ। ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ। ପୂରା ଏସଓପିରେ ଅଳଙ୍କାର ଚିହ୍ନଟ ଓ ଓଜନ ହେବ କିନ୍ତୁ ମୂଲ୍ୟାୟନ ହେବ ନାହିଁ।
ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ। ଏହାପରେ ୧୯୭୮ ମସିହାର ଗଣତିମଣତି ତାଲିକା ସହ ମେଳ ହେବ। ଏହାପରେ ୨୦୨୬ ମସିହାର ଟ୍ୟାଗ୍ ଲଗାଯାଇ ରଖାଯିବ। ମହାପ୍ରଭୁଙ୍କ ଗହଣାକୁ ସଂରକ୍ଷିତ ରଖିବାକୁ ବ୍ୟବହାର ହେବ ୩ ପ୍ରକାରର ରଙ୍ଗର କପଡ଼ା। ହଳଦିଆ ଭେଲଭେଟ୍ କପଡ଼ାରେ ରଖାଯିବ ସୁନା ଅଳଙ୍କାର। ସିଲଭର ରଙ୍ଗର କପଡ଼ାରେ ରହିବ ରୌପ୍ୟ ଅଳଙ୍କାର। ଲାଲ ରଙ୍ଗର ଭେଲଭେଟ୍ କନାରେ ରଖାଯିବ ଅନ୍ୟାନ୍ୟ ଅଳଙ୍କାର। ଗହଣା ସବୁକୁ ସିନ୍ଦୁକରେ ରଖି ସରକାରୀ ମୋହର ମରାଯାଇ ସୁରକ୍ଷିତ ରଖାଯିବ।
ମୂଲ୍ୟବାନ ଧାତୁ ସାମଗ୍ରୀର ଗଣତି ମଣତି ପାଇଁ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଏକ୍ସପର୍ଟ, ୟୁକୋ ବ୍ୟାଙ୍କର ଜଣେ ଓ ଶ୍ରୀମନ୍ଦିର ସ୍ୱର୍ଣକାରଙ୍କୁ ନିୟୋଜିତ କରାଯାଇଛି। ଶ୍ରୀମନ୍ଦିର ବଣିଆ, ସରକାରୀ ବ୍ୟାଙ୍କର ବଣିଆ, ଜେମୋଲୋଜିଷ୍ଟ, ଆରବିଆଇ ଅଧିକାରୀମାନେ ଗଣନାରେ ସାମିଲ ହେବେ।
ତେବେ ପର୍ବପର୍ବାଣି, ଶନିବାର ଓ ରବିବାର ଗଣତିମଣତି ହେବନାହିଁ। ଗଣତିମଣତି ଦିନ ଭକ୍ତମାନେ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।