ସମ୍ବଲପୁର, ୦୩/୦୪: ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍) ବୁର୍ଲାର ଆନନ୍ଦ ବିହାର କଲୋନୀରେ ଅମ୍ରିତ୍ (Affordable medicines and reliable implants for treatment) ଫାର୍ମାସି ଉଦଘାଟନ କରିଛି।
ଏମ୍.ସି.ଏଲର ସି.ଏମ୍.ଡି. ଶ୍ରୀ ଉଦୟ ଅନନ୍ତ କାଓଲେ ଏହି ଅମ୍ରିତ୍ ଫାର୍ମାସୀକୁ ଉଦଘାଟନ କରିଥିଲେ। ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ), ଶ୍ରୀ ଏ.କେ ବେହୁରା, ନିର୍ଦ୍ଦେଶକ (ଅର୍ଥ), ଶ୍ରୀ ପି.କେ ପଟେଲ, ମୁଖ୍ୟ ସତର୍କତା ଅଧିକାରୀ (ସିଭିଓ), ଶ୍ରୀ ସଞ୍ଜୟ କୁମାର ଝା, ନିର୍ଦ୍ଦେଶକ (ବୈଷୟିକ)ଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ଡାକ୍ତରୀ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।
ଅମ୍ରିତ୍ ଫାର୍ମାସି ହେଉଛି ଭାରତ ସରକାରଙ୍କ ଏକ ଫ୍ଲାଗସିପ୍ ପଦକ୍ଷେପ, ଯାହା ୨୦୧୫ ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆରମ୍ଭ ହୋଇଥିଲା ଏବଂ ଏହା ଏଚ.ଏଲ.ଏଲ ଲାଇଫକେୟାର୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଅଟେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଅତ୍ୟାବଶ୍ୟକ ଓ ଜୀବନ ରକ୍ଷାକାରୀ ଔଷଧ, ପ୍ରତିରୋପଣ ଏବଂ ଅସ୍ତ୍ରୋପଚାରକୁ ଅତ୍ୟଧିକ ରିହାତି ଦରରେ (ପ୍ରାୟତଃ ବଜାର ମୂଲ୍ୟଠାରୁ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି) ଉପଲବ୍ଧ କରାଇ ଚିକିତ୍ସା ଉପରେ ବ୍ୟକ୍ତିଗତ ଖର୍ଚ୍ଚ ହ୍ରାସ କରିବା ଅଟେ।
ଏମ୍.ସି.ଏଲରେ ଅମ୍ରିତ୍ ଫାର୍ମାସି ପ୍ରତିଷ୍ଠା ଏହାର କର୍ମଚାରୀ, ସେମାନଙ୍କ ପରିବାର ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଥାଏ।
ଏହି ପଦକ୍ଷେପ କର୍ମଚାରୀ କଲ୍ୟାଣ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ପ୍ରତି ଏମ୍.ସି.ଏଲର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ ଏବଂ ସୁଲଭ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବାର ରାଷ୍ଟ୍ରୀୟ ଲକ୍ଷ୍ଯ ସହିତ ଅନୁରୂପ ଅଟେ।