ଆଇସିଏଆର୍-ସିଫା ତରଫରୁ ମତ୍ସ୍ୟଜ୍ଞାନ ଉତ୍ସବ ୨୦୨୬ ଆୟୋଜିତ
ଖାଦ୍ୟ ଓ ପୋଷଣ ସୁରକ୍ଷା ନିଶ୍ଚତ କରିବାରେ ମାଛ ଚାଷର ଗୁରୁତ୍ୱ ଉପରେ ଆଲୋକପାତ
ଭୁବନେଶ୍ୱର, ୦୩/୦୪: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା (ସିଫା) ତରଫରୁ ଏପ୍ରିଲ ୨ ତାରିଖ ଦିନ ମତ୍ସ୍ୟଜ୍ଞାନ ଉତ୍ସବ ୨୦୨୬ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର, ପୁରୀ ଓ ଏହାର ପାଶ୍ୱବର୍ତ୍ତୀ ଅଂଚଳର ୧୨ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସେମାନଙ୍କର ଶିକ୍ଷକମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦ୍ଦେଶକ (ମତ୍ସ୍ୟବିଜ୍ଞାନ ଓ କୃଷିଶିକ୍ଷା) ଡ. ଜେ. କେ. ଜେନା ଉଦ୍ଘାଟନ କରି ଖାଦ୍ୟ ଓ ପୋଷଣ ସୁରକ୍ଷା ନିଶ୍ଚତ କରିବାରେ ମାଛଚାଷର ଗୁରୁତ୍ୱ ଉପରେ ଯୋରଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଜଳକୃଷି କ୍ଷେତ୍ରରେ ଥିବା ବିଭିନ୍ନ କ୍ୟାରିୟର ସୁଯୋଗ ସଂପର୍କରେ ଉଦ୍ବୋଧନ ଦେଇଥିଲେ । ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ନିଜର ବୈଜ୍ଞାନିକ ଜିଜ୍ଞାସା ଉନ୍ନତ କରିବା ସହିତ ମତ୍ସ୍ୟ ଓ କୃଷି ବିଜ୍ଞାନ କ୍ଷେତ୍ରରେ ରହିଥିବା ସୁଯୋଗ ଖୋଜିବାକୁ ଉଦ୍ୟମ କରିବା ଉଚିତ । ସେ ଜଳକୃଷିରେ ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି, ଭବିଷ୍ୟତ ଚାହିଦା ପୂରଣ ପାଇଁ ମତ୍ସ୍ୟ ଉତ୍ପାଦନର ଅଭିବୃଦ୍ଧି ଆବଶ୍ୟକତା ରହିଛି ବୋଲି କହିଥିଲେ । ସିଫାର ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ସାହୁ କହିଥିଲେ ଯେ, ମତ୍ସ୍ୟଜ୍ଞାନ ଉତ୍ସବ ଛାତ୍ରଛାତ୍ରୀମାନଙ୍କ ମନରେ ଗବେଷଣାତ୍ମକ ଚିନ୍ତାଧାରା ବୃଦ୍ଧି କରିବ । ଏଥିସହିତ ଜଳକୃଷି ବିଜ୍ଞାନ ନିମନ୍ତେ ସେମାନଙ୍କର ଆଗ୍ରହ ସୃଷ୍ଟି ହେବ । ଏହା ମତ୍ସ୍ୟବିଜ୍ଞାନ, ବାୟୋଟେକ୍ନୋଲୋଜି ଓ ପରିବେଶ ବିଜ୍ଞାନରେ ଭବିଷ୍ୟତ ଜୀବିକା ପାଇଁ ପ୍ରେରଣା ଦେବ । ଏହି କାର୍ଯ୍ୟକ୍ରମ ସିଫାର ସାଇନ୍ସ ଆଉଟ୍ରିଚ ଫ୍ଲାଗ୍ସିପ୍ ପ୍ରୋଗ୍ରାମର ଅଂଶବିଶେଷ । ଏହାର ଲକ୍ଷ୍ୟ ଥିଲା ଛାତ୍ରଛାତ୍ରୀ ମାନଙ୍କୁ ଜଳକୃଷି ଜଗତ ସହିତ ପରିଚିତ କରାଇବା, ଖାଦ୍ୟ ସୁରକ୍ଷା, ଜୀବିକା ସୃଷ୍ଟି ଓ ପରିବେଶ ସ୍ଥିରତା ଓ ଧାରଣୀୟ ବିକାଶ ଉପରେ ସଚେତନ କରାଇବା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଦିନବ୍ୟାପୀ ବିଭିନ୍ନ ଦଳରେ ବିଭକ୍ତହୋଇ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏଥିରେ ବିଭିନ୍ନ ପ୍ରଜାତିର ଜୀବନ୍ତ ମାଛ ଅମଳ ପ୍ରଦର୍ଶନ, ରୋଗ ନିରୂପଣ ଯନ୍ତ୍ରପାତି, ମାଛ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ, ଡ୍ରୋନ୍ ଏବଂ ମାଟି ପାଣି ପରୀକ୍ଷା କୌଶଳ ଇତ୍ୟାଦି ବିଷୟରେ ଜାଣିଥିଲେ । ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ପ୍ରଶ୍ନୋତର କାର୍ଯ୍ୟକ୍ରମ ସବୁଠାରୁ ଆକର୍ଷଣୀୟ ହୋଇଥିଲା ।