ମୁମ୍ବାଇ, ୧୨/୦୪: ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କ ନିଧନ। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଆଶା ଭୋସଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି। ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ଯଗତରେ ଏକ ଯୁଗର ଅବସାନ ଘଟିଛି।
ସୂଚନାଯୋଗ୍ୟ, ଗତକାଲି ତାଙ୍କୁ ହୃଦଘାତ ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ଏବଂ ଫୁସଫୁସ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ।
୭୦ ବର୍ଷରୁ ଅଧିକ ସମୟ ଧରି ମନୋରଞ୍ଜନ ଦୁନିଆରେ ରାଜ କରିଥିବା ଆଶା ଭୋସଲେ ୨୦ରୁ ଉର୍ଦ୍ଧ୍ବ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି ଆଶା।
୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ଭୋସଲେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ କଣ୍ଠଦାନ କରିଆସୁଛନ୍ତି। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସଙ୍ଗଦିଲ’ରେ ପ୍ରଥମ ଗୀତ ଗାଇଥିଲେ। ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି। ୨୦୦୦ ମସିହାରେ ଦାଦା ସାହେବ ଫାଲକେ ଆୱାର୍ଡ଼ ପାଇଥିଲେ।