ନୂଆଦିଲ୍ଲୀ, ୧୨/୦୪: ଭାରତ ହରାଇଛି ଉଜ୍ଜ୍ୱଳ ତାରକା। ୯୨ ବର୍ଷ ବୟସରେ ସାରା ଦୁନିଆକୁ ଅଲବିଦା କହିଛନ୍ତି ଆଶା ଭୋସଲେ। ଆଠ ଦଶନ୍ଧି ଧରି ସଙ୍ଗୀତ ଜଗତରେ ରାଜ କରିଥିବା ଆଶା ଭୋସଲେଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ। ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ତାଙ୍କ ନିଧନ ସାରା ଦେଶରେ ଶୋକର ଛାୟା ସୃଷ୍ଟି କରିଛି। ଶୋକ ବ୍ୟକ୍ତ କରିଛନ୍ତି ବିଶିଷ୍ଟ ବ୍ୟକ୍ତି ବିଶେଷ ।
ଆଶା ଭୋସ୍ଲେଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଭୀର ଶୋକ ବ୍ୟକ୍ତ। ପ୍ରଧାନମନ୍ତ୍ରୀ ମୋଦି ଶୋକ ବ୍ୟକ୍ତ କରି କହିଛନ୍ତି, ଆଶାଙ୍କ ଅସାଧାରଣ ସଙ୍ଗୀତ ଯାତ୍ରା ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲା। ତାଙ୍କର କଣ୍ଠସ୍ବର ବିଶ୍ୱର ଅନେକ ହୃଦୟକୁ ସ୍ପର୍ଶ କରିଥିଲା। ତାଙ୍କ ସହିତ ମୋର ହୋଇଥିବା କଥାବାର୍ତ୍ତାଗୁଡ଼ିକୁ ମୁଁ ସର୍ବଦା ସ୍ମରଣ କରିବି। ତାଙ୍କ ପରିବାର, ପ୍ରଶଂସକ, ସଙ୍ଗୀତ ପ୍ରେମୀମାନଙ୍କୁ ମୋର ଗଭୀର ସମବେଦନା। ଆଶାଙ୍କ ଗୀତଗୁଡ଼ିକ ଲୋକଙ୍କ ଜୀବନରେ ଚିରକାଳ ପାଇଁ ପ୍ରତିଧ୍ୱନିତ ହେବ
ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। “କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଜୀଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ତାଙ୍କର କାଳଜୟୀ ସ୍ୱର କେବଳ ସଙ୍ଗୀତ ନଥିଲା, ଏହା ଏକ ଭାବନା ଥିଲା ଯାହା ପିଢ଼ି ପରେ ପିଢ଼ିକୁ ନିର୍ଦ୍ଦେଶିତ କରିଥିଲା। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପ୍ରକୃତରେ ଅମାପ। ଗଭୀର ଶୋକର ଏହି ମୁହୂର୍ତ୍ତରେ ତାଙ୍କ ପରିବାର, ପ୍ରଶଂସକ ଏବଂ ସମଗ୍ର ସଙ୍ଗୀତ ଜଗତକୁ ମୋର ସମବେଦନା। ତାଙ୍କ ଆତ୍ମାକୁ ଅନନ୍ତ ଶାନ୍ତି ପ୍ରଦାନ କରିବା ପାଇଁ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”