ଆଶା ଭୋସଲେ: ୧୦ ବର୍ଷରେ ସଙ୍ଗୀତ ଜୀବନ ଆରମ୍ଭ, ୭୯ ବର୍ଷରେ ଅଭିନୟ
ମାତ୍ର ୧୬ ବର୍ଷ ବୟସରେ ବିବାହ, ଘରୋଇ ହିଂସାର ଶିକାର
ସଙ୍ଗୀତ ଜଗତରେ ଆଶା ଭୋସଲେ ଛାଡ଼ି ଯାଇଛନ୍ତି ଅମାପ ସ୍ମୃତି। ଆଶା ଭୋଁସଲେଙ୍କ ବିଦାୟ ସଙ୍ଗୀତ ପ୍ରେମୀଙ୍କ ପାଇଁ ଏକ ବଡ଼ ଶୂନ୍ୟତା ଛାଡ଼ିଛି। କିନ୍ତୁ ତାଙ୍କ ଗୀତଗୁଡ଼ିକ ଚୀର କାଳ ପର୍ଯ୍ୟନ୍ତ ଶ୍ରୋତାଙ୍କ ହୃଦୟରେ ବଞ୍ଚି ରହିବ। ସଙ୍ଗୀତ ଜଗତରୁ ବିଦାୟ ନେଇଛନ୍ତି, କିନ୍ତୁ ତାଙ୍କ ସ୍ୱରର ମାଜିକ୍ କେବେ ବି ମରିବନି। ତାଙ୍କ ଗୀତ ଚୀରକାଳ ଅମର ରହିବ।
ଜାଣନ୍ତୁ ଆଶାଙ୍କ ବିଷୟରେ କିଛି ଅଜଣା କଥା:-
ଆଶା ଭୋସଲେ ଭାରତର ଜଣେ ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା। ସେ ମାତ୍ର ୧୦ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ସବୁଠୁ ଅଧିକ ଗୀତ ରେକର୍ଡ କରିଥିବା କଳାକାର ଭାବରେ ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ୨୦ରୁ ଅଧିକ ଭାଷାରେ ୧୨,୦୦୦ ରୁ ଅଧିକ ଗୀତ ଗାଇଛନ୍ତି। ହିନ୍ଦୀ ଫିଲ୍ମ ଗୀତ ବ୍ୟତୀତ ରୁଷିଆନ୍, ମାଲାୟ ଆଦି ଅନେକ ବିଦେଶୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି।
ସେ “ଆଶା’ସ” ନାମରେ ଏକ ବଡ଼ ଅନ୍ତର୍ଜାତୀୟ ରେଷ୍ଟୁରେଣ୍ଟ ଚଳାଉଥିଲେ। ଏହା ଦୁବାଇ, ମାଞ୍ଚେଷ୍ଟର, ବର୍ମିଂହାମ ଆଦି ସ୍ଥାନରେ ଅଛି। ସେ ରାନ୍ଧିବାରେ ବହୁତ ଦକ୍ଷ। ବନ୍ଧୁ ଓ ଚଳଚ୍ଚିତ୍ର କ୍ରୁଙ୍କ ପାଇଁ ରୋଷେଇ କରିବାକୁ ଭଲ ପାଆନ୍ତି।
ମାତ୍ର ୧୦ ବର୍ଷ ବୟସରେ ସେ ଗାଇବା ଆରମ୍ଭ କରିଥିଲେ। ୧୯୪୩ରେ ମରାଠୀ ଫିଲ୍ମ “ମାଝା ବଳ” ପାଇଁ ପ୍ରଥମ ଗୀତ ରେକର୍ଡ କରିଥିଲେ। ସେ ପପ୍, ଗଜଲ, ଭଜନ, ଶାସ୍ତ୍ରୀୟ ସଙ୍ଗୀତ ସମେତ ବିଭିନ୍ନ ଧରଣର ଗୀତ ଗାଇଛନ୍ତି।
ସେ ଉସ୍ତାଦ୍ ଅଲ୍ଲୀ ଆକବର ଖାନଙ୍କ ସହ ଏକ ଆଲବମ୍ ପାଇଁ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
୭୯ ବର୍ଷ ବୟସରେ ୨୦୧୩ ମସିହାରେ ମରାଠୀ ଫିଲ୍ମ “ମାଇ”ରେ ଅଭିନୟ କରିଥିଲେ।
ସେ ୧୬ ବର୍ଷ ବୟସରେ (୧୯୪୯ରେ) ତାଙ୍କଠାରୁ ୩୧ ବର୍ଷ ବଡ଼ ଗଣପତରାଓ ଭୋସଲେଙ୍କ ସହ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ। ଅବଶ୍ୟ ଏହି ବୈବାହିକ ଜୀବନ ସୁଖମୟ ନଥିଲା। ଘରୋଇ ହିଂସାର ଶିକାର ହେବା ପରେ ସେ ଘର ଛାଡି ଆସିଥିଲେ। ଏହା ପରେ ବିଶିଷ୍ଟ ସଙ୍ଗୀତଜ୍ଞ ରାହୁଲ ଦେବ ବର୍ମନଙ୍କୁ ବିବାହ କରିଥିଲେ।