ପାଟନା, ୧୫/୦୪: ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ। ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପାଟନାର ଲୋକଭବନରେ ସକାଳ ୧୧ଟାରେ ଶପଥ ଗ୍ରହଣ କରିଛନ୍ତି ସମ୍ରାଟ ଚୌଧୁରୀ। ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସୟଦ ଅତା ହସ୍ନୈନ।
ତାଙ୍କ ସହିତ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ, ସମ୍ରାଟ ଚୌଧୁରୀ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ।
ପୂର୍ବରୁ ନୀତିଶ କୁମାର ତାଙ୍କ ଇସ୍ତଫାପତ୍ର ଦାଖଲ କରିଥିଲେ। ମାତ୍ର ନଅ ବର୍ଷ ପୂର୍ବେ ବିଜେପିରେ ଯୋଗ ଦେଇଥିବା ସମ୍ରାଟ ଚୌଧୁରୀଙ୍କୁ ଜଣେ ଅତ୍ୟନ୍ତ ସ୍ପଷ୍ଟବାଦୀ ନେତା ଭାବରେ ବିବେଚନା କରାଯାଏ। ସେ ୨୬ ବର୍ଷ ପୂର୍ବେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ, ୨୦୨୪ରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ବିଜେପିର ବିପୁଳ ବିଜୟ ପରେ ୨୦୨୫ରେ ପୁନର୍ବାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ।
୧୯୯୧ ମସିହାରେ ଲାଲୁ ପ୍ରସାଦ ଯାଦବଙ୍କ ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ, ୨୦୦୫ ମସିହାରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ସମୟରେ ଜେଡିୟୁ ରାଜ୍ୟ ସଭାପତି ଥିଲେ। ନୀତିଶ କୁମାରଙ୍କ କ୍ୟାବିନେଟରେ ଅନେକ ଥର ଶକ୍ତି ମନ୍ତ୍ରୀ ଥିଲେ। ଅର୍ଥ ଏବଂ ବାଣିଜ୍ୟିକ ଟିକସ ଭଳି ବିଭାଗ ମଧ୍ୟ ସମ୍ଭାଳିଥିଲେ।
ସେ ୨୦୧୩ରେ ଆରଜେଡିରୁ ଇସ୍ତଫା ଦେଇ ଜେଡିୟୁରେ ଯୋଗ ଦେଇ। ଏହାପରେ ପୁଣି ଜେଡିୟୁରୁ ଇସ୍ତଫା ଦେଇ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ।