ନୂଆଦିଲ୍ଲୀ, ୧୬/୦୪: ମହିଳା ସଂରକ୍ଷଣ ଆଇନକୁ ସଂଶୋଧନ କରିବା ପାଇଁ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ଗୁରୁବାର ଲୋକସଭାରେ ଉପସ୍ଥାପିତ ହୋଇଥିଲା। ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ଦୁଇଟି ସାଧାରଣ ବିଲ୍, ସୀମା ନିର୍ଦ୍ଧାରଣ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ମଧ୍ୟ ଉପସ୍ଥାପିତ ହୋଇଥିଲା। ୨୫୧ ଜଣ ସଦସ୍ୟ ଏହାକୁ ସମର୍ଥନ କରିଥିଲେ ଏବଂ ୧୮୫ ଜଣ ସଦସ୍ୟ ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେଇଥିଲେ। ବିଲ୍ ପାସ୍ ଉପରେ ୧୭ ଏପ୍ରିଲ୍, ଅପରାହ୍ନ ୪ଟାରେ ଭୋଟିଂ କରାଯିବ।
ମହିଳା ସଂରକ୍ଷଣ ଓ ଡିଲିମିଟେସନ୍ ଉପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି। ଲୋକସଭାରେ ବିଲ୍ ଆଗତ ପରେ ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ, ଆଜିର ଦିନ ଦେଶ ପାଇଁ ଏକ ଐତିହାସିକ ଦିନ। ଆଜିର ଏହି ମନ୍ଥନରୁ ଅମୃତ ମିଳିବ। ଏହି ମନ୍ଥନରୁ ଦେଶର ରାଜନୈତିକ ଦିଗ ବଦଳିବ।
ଯେଉଁ ଦଳ ମହିଳା ସଂରକ୍ଷଣକୁ ବିରୋଧ କରିଛି ତାର ଫଳ ଭୋଗିଛି। ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା କ୍ଷମା କରିବେ ନାହିଁ। ୨୫/୩୦ ବର୍ଷ ତଳର ସ୍ଥିତି ଆଜି ଆଉ ନାହିଁ। ଏବେ ମହିଳାମାନେ ଅଧିକାର ପାଇବା ନେଇ ଦୃଢ଼ ହକ୍ଦାର। ଆଜି ଯେଉଁମାନେ ବିରୋଧ କରିବେ ଲମ୍ବା ସମୟ ପାଇଁ ଭୋଗିବେ। ମୁଁ ପଛୁଆ ବର୍ଗରୁ ଆସିଛି, ମାତ୍ର ସବୁ ବର୍ଗକୁ ସମ୍ମାନ କରି ଆସିଛି। ଜୀବନର ସବୁ କ୍ଷେତ୍ରରେ ମହିଳାମାନେ ଦକ୍ଷତା ଦେଖାଇଲେଣି। ପଞ୍ଚାୟତରେ ମହିଳାଙ୍କୁ ସଂରକ୍ଷଣ ଦେଉଛ, ସଂସଦରେ କାହିଁକି ନୁହଁ। ବିକଶିତ ଭାରତ ପାଇଁ ନାରୀ ଶକ୍ତିର ଆବଶ୍ୟକତା ରହିଛି। ନାରୀ ଶକ୍ତି ଦେଶ ପାଇଁ ଗୌରବ। ଡିଲିମିଟେସନ୍କୁ ନେଇ ରାଜନୀତି କରିବା ଅନୁଚିତ। ଦେଶର କୌଣସି ପ୍ରାନ୍ତ ସହ ଭେଦଭାବ କରାଯିବ ନାହିଁ। ଯଦି ଏନେଇ ଗ୍ୟାରେଣ୍ଟି ଚାହୁଁଛ ଦେବାକୁ ପ୍ରସ୍ତୁତ ଅଛି। ଦେଶର ଆଜି ଯେଉଁ ପ୍ରଗତି ହୋଇଛି, ସେଥିରେ ମହିଳାଙ୍କ ଭାଗିଦାରୀ। ୩୦ ବର୍ଷ ହେଲା ମହିଳାମାନେ ଅପେକ୍ଷା କଲେଣି, ଡେରି ଉଚିତ ନୁହେଁ। ଦେଶର ନାରୀଙ୍କୁ ଆମେ ଅଧିକାର ଦେଉଛୁ। ଏହାର କ୍ରେଡିଟ ନେବା ଆବଶ୍ୟକ ନାହିଁ। ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଆଇନ ତିଆରିରେ ସାମିଲ ହୁଅନ୍ତୁ।