ଚେନ୍ନାଇ, ୧୯/୦୪: ତାମିଲନାଡୁର ବିରୁଧନଗର ଜିଲ୍ଲାର କଟ୍ଟନାରପଟ୍ଟି ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ଏବଂ କିଛି ଶ୍ରମିକ ଧ୍ୱଂସାବଶେଷ ତଳେ ଫସିଥିବା ସମ୍ଭାବନା ରହିଛି।
ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ କାରଖାନାର ଅନେକ ଘରର ଛାତ ଉଡ଼ିଯାଇଛି। ବିସ୍ଫୋରଣର ଶବ୍ଦ ପ୍ରାୟ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଶ୍ରମିକମାନେ ବାଣ ତିଆରି ପାଇଁ ରାସାୟନିକ ପଦାର୍ଥ ମିଶାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ତେବେ ବିସ୍ଫୋରଣର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, “କଟ୍ଟନାରପଟ୍ଟିରେ ବାଣ କାରଖାନା ବିସ୍ଫୋରଣରେ ଏକାଧିକ ଜୀବନ ହରାଇବା ଖବର ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବାରକୁ ମୋର ଗଭୀର ସହାନୁଭୂତି।” ସେ ମନ୍ତ୍ରୀ କେ.କେ.ଏସ୍.ଏସ୍.ଆର. ରାମଚନ୍ଦ୍ରନ୍ ଏବଂ ଥଙ୍ଗମ୍ ଥେନ୍ନାରସୁଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଦ୍ୱାରା ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବ ଏବଂ ପ୍ରଭାବିତ ପରିବାରକୁ ସହାୟତା ପ୍ରଦାନ କରାଯିବ। ଜିଲ୍ଲା କଲେକ୍ଟରଙ୍କୁ ମଧ୍ୟ ସମସ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସହାନୁଭୂତି ଜଣାଇଛନ୍ତି।