ନୂଆଦିଲ୍ଲୀରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ

• ଓଡ଼ିଶାର ସମ୍ବଲପୁରୀ ଓ ଇକତ ବୁଣାକାରଙ୍କ ଧୈର୍ଯ୍ୟ ଓ କଳାକୁ କଲେ ପ୍ରଶଂସା • ଜନସାଧାରଣଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ କଲେ ଅପିଲ

ଶିଳ୍ପୀ ଓ ବୁଣାକାରମାନେ ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୭/୦୪: ଭାରତର ପ୍ରତିଟି ସୂତା ଏବଂ ରଙ୍ଗ ମଧ୍ୟରେ ଆମ ଶିଳ୍ପୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ବହୁ ପୁରାତନ ପରମ୍ପରା ଲୁଚି ରହିଛି । ସେମାନେ କେବଳ କାରିଗର ନୁହନ୍ତି, ବରଂ ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପ୍ରକୃତ ବାହକ ବୋଲି ଆଜି ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମ ଠାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆରଏସବି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ଥିଲା ‘କୃଷ୍ଣ’ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଭାରତର ‘ବିଭିନ୍ନତା ମଧ୍ୟରେ ଏକତା’ର ପ୍ରତିଫଳନ । ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମରେ ଆୟୋଜିତ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆମ ବୁଣାକାର ଓ ଶିଳ୍ପୀମାନଙ୍କର ସେହି ଅସାଧାରଣ କଳାକୃତିକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ଦେବାର ଏକ ସଶକ୍ତ ମାଧ୍ୟମ । ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ଓ ଇକତ ବୁଣାକାରଙ୍କ ଧୈର୍ଯ୍ୟ ଓ କଳାକୁ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର କଳ୍ପନା କରିଛନ୍ତି, ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ । ପୂର୍ବ ଭାରତର ବିକାଶ ହେଲେ ହିଁ ସମଗ୍ର ଭାରତର ବିକଶ ହେବ । ସେହିପରି ବର୍ତ୍ତମାନ ସମୟରେ ଏହି କାରିଗରୀକୁ ଇ-କମର୍ସ ପ୍ଲାଫର୍ମରେ ଅଧିକ ଯୋଡିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ହେବ ଯେଉଁଠାରେ ଆମର ବୁଣାକାରମାନେ ଇ-କମର୍ସ ଏବଂ ଓଏନଡିସି ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱ ବଜାର ସହ ସିଧାସଳଖ ଯୋଡ଼ି ହୋଇପାରିବେ । ସେ ଜନସାଧାରଣଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ଅପିଲ କରିଥିଲେ ।