ଆସନ୍ତା ବର୍ଷରୁ ସିବିଟି ମୋଡ୍ ରେ ହେବ NEET-UG ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ପ୍ରଶ୍ନପତ୍ର ଲିକ୍‌ ଏକ ‘ସାମାଜିକ ବ୍ୟାଧି’: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୧୫/୦୫: ମେ’ ୩ ତାରିଖରେ ଅନୁଷ୍ଠିତ NEET-UG ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏହାକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିଦେଇଛି। ପରୀକ୍ଷାରେ ପ୍ରାୟ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ବସିଥିଲେ, ଯେଉଁମାନଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରାୟ ୫୫,୦୦୦ ଛାତ୍ରଛାତ୍ରୀ ଥିଲେ। ଏହି ଘଟଣା ସାରା ଦେଶରେ ବ୍ୟାପକ କ୍ଷୋଭ ସୃଷ୍ଟି କରିଛି।ଏହା ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରେସମିଟ୍ କରି ସରକାର ପରୀକ୍ଷାର୍ଥୀଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଓ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ବୋଲି କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, କୌଣସି ଅଯୋଗ୍ୟ ବ୍ୟକ୍ତି ଯେପରି ପାସ୍ ନ ହୁଏ ସେଥିପାଇଁ ସରକାର କଠୋର ପଦକ୍ଷେପ ନେବ। ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ଅଭିଯୋଗ ମିଳିବା ପରେ ମନ୍ତ୍ରାଳୟ ତୁରନ୍ତ ପଦକ୍ଷେପ ନେଇ ପରୀକ୍ଷା ରଦ୍ଦ କରିଛି।

ପ୍ରଶ୍ନପତ୍ର ଲିକ୍‌କୁ ଏକ ‘ସାମାଜିକ ବ୍ୟାଧି’। ଏହା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବ। ଆସନ୍ତା ବର୍ଷରୁ NEET-UG ପରୀକ୍ଷା କମ୍ପ୍ୟୁଟର ଆଧାରିତ ଟେଷ୍ଟ (CBT) ମୋଡ୍‌ରେ ହେବ। ବର୍ତ୍ତମାନ ଘଟଣାର ତଦନ୍ତ ଭାର CBI କୁ ଦିଆଯାଇଛି ଏବଂ ଦୋଷୀଙ୍କୁ କଠୋର ଶିକ୍ଷା ଦିଆଯିବ।

ଜୁନ୍ ୨୧, ୨୦୨୬ ରେ ପୁନଃ ପରୀକ୍ଷା ହେବ। କୌଣସି ଅତିରିକ୍ତ ଫିସ୍ ଲାଗିବ ନାହିଁ। ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ। ସେମାନଙ୍କୁ ସୁବିଧା ଅନୁଯାୟୀ ପରୀକ୍ଷା କେନ୍ଦ୍ର ଚୟନ ସୁଯୋଗ ଦିଆଯିବ।

ସୂଚନାଯୋଗ୍ୟ, ରାଜସ୍ଥାନର ସିକର ଆଦି ସ୍ଥାନରେ କୋଚିଂ ମାଫିଆ ଜରିଆରେ ଏକ “ଗେସ୍ ପେପର୍” ନାମରେ ପ୍ରଶ୍ନପତ୍ର ବିକ୍ରି ହୋଇଥିବା ଜଣାପଡ଼ିଥିଲା। ଏହି ଗେସ୍ ପେପର୍‌ରେ ଥିବା ଅନେକ ପ୍ରଶ୍ନ ପରୀକ୍ଷା ପ୍ରଶ୍ନପତ୍ର ସହ ମେଳ ଖାଉଥିଲା। ଏହା ପରେ ରାଜ୍ୟ ପୋଲିସ୍ ଓ କେନ୍ଦ୍ର ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ କିଛି ଗିରଫ ମଧ୍ୟ ହୋଇଛନ୍ତି।

ଏହି ବିଭ୍ରାଟ ଯୋଗୁଁ ଅନେକ ଛାତ୍ରଛାତ୍ରୀ ମାନସିକ ଚାପର ଶିକାର ହୋଇଛନ୍ତି ଏବଂ କିଛି ଦୁର୍ଭାଗ୍ୟଜନକ ଘଟଣା ମଧ୍ୟ ଘଟିଛି। ବିରୋଧୀ ଦଳ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ସରକାର ଏହାକୁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କହି ଭବିଷ୍ୟତରେ ଏପରି ଘଟଣା ନ ଘଟିବା ପାଇଁ ବଡ଼ ପଦକ୍ଷେପ ନେବାର ଆଶ୍ୱାସନା ଦେଇଛନ୍ତି।