ଆଇଏଏସ ଅଫିସର ଚାକିରିରୁ ବହିଷ୍କୃତ

୨୦ ବର୍ଷ ତଳର ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୧୬/୦୫: କେନ୍ଦ୍ର ସରକାର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ପଦ୍ମା ଜୟସ୍ୱାଲଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ମାମଲାର ଦୀର୍ଘ ୨୦ ବର୍ଷ ପରେ ନିଆଯାଇଥିବା ଏହା ଏକ ବିରଳ କାର୍ଯ୍ୟାନୁଷ୍ଠାନ।

ପଦ୍ମା ଜୟସ୍ୱାଲ୍, ୨୦୦୩ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ। ସେ ଅରୁଣାଚଳ ପ୍ରଦେଶ କ୍ୟାଡ଼ରର। ସେ ଦିଲ୍ଲୀ ସରକାରର ପ୍ରଶାସନିକ ସୁଧାର ବିଭାଗର ସ୍ପେଶାଲ୍ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଥିଲେ।

୨୦୦୭-୦୮ ମସିହାରେ ଅରୁଣାଚଳ ପ୍ରଦେଶର ୱେଷ୍ଟ କାମେଙ୍ଗ୍ ଜିଲ୍ଲାର ଡେପୁଟି କମିଶନର୍ ଥିବା ସମୟରେ ଦୁର୍ନୀତି ଓ ସରକାରୀ ଟଙ୍କା ଅପବ୍ୟବହାର କରିଥିବା ଅଭିଯୋଗ ରହିଥିଲା। ପ୍ରାୟ ୨୮ ଲକ୍ଷ ଟଙ୍କା ଆତ୍ମସାତ କରି ଆତ୍ମୀୟଙ୍କ ନାମରେ ସମ୍ପତ୍ତି କିଣିଥିବା ଅଭିଯୋଗ ହୋଇଥିଲା। ଯାହାର ସିବିଆଇ ତଦନ୍ତ କରିଥିଲା।

ଘଟଣା କ୍ରମ:

• ୨୦୦୮ ଏପ୍ରିଲ୍‌ରେ ସସ୍‌ପେଣ୍ଡ୍ ହୋଇଥିଲେ, କିନ୍ତୁ ୨୦୧୦ ଅକ୍ଟୋବର୍‌ରେ ସେହି ସସ୍‌ପେନ୍ସନ୍ ପ୍ରତ୍ୟାହାର କରାଯାଇଥିଲା।

• ଚାର୍ଜ ମେମୋରାଣ୍ଡମ୍ ୨୦୦୯-୧୦ରେ ଜାରି ହୋଇଥିଲା।

• ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ୍ (CVC), ୟୁପିଏସ୍‌ସି ଓ ହାଇକୋର୍ଟର ସମୀକ୍ଷା ପରେ ଅନୁଶାସନିକ ପ୍ରକ୍ରିୟା ଶେଷ ହୋଇଥିଲା।

• ଡିଓପିଟି (DoPT) ର ସୁପାରିଶ୍ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବରଖାସ୍ତ ଆଦେଶ ଜାରି ହୋଇଛି।

ଏହା ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ନିଆଯାଇଥିବା ଏକ ବିରଳ ଓ କଠୋର କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।