ଇବୋଲାରେ ୧୪୮ ଜଣଙ୍କ ମୃତ୍ୟୁ: ଭାରତରେ ହାଇ ଆଲର୍ଟ ଜାରି

ଭାରତ-ଆଫ୍ରିକୀୟ ସମ୍ମିଳନୀ ସ୍ଥଗିତ, ବିମାନବନ୍ଦରରେ ଜୋରଦାର ଚେକିଂ

ନୂଆଦିଲ୍ଲୀ, ୨୧/୦୫: ଭାରତ ଏବଂ ଆଫ୍ରିକୀୟ ୟୁନିଅନ୍ (AU) ମିଳିତ ଭାବେ ମେ ୨୮ରୁ ୩୧ ଯାଏଁ ଦିଲ୍ଲୀରେ ହେବାକୁ ଥିବା ୪ର୍ଥ ଇଣ୍ଡିଆ-ଆଫ୍ରିକା ଫୋରମ୍ ସମିଟ୍ (IAFS-IV) କୁ ସ୍ଥଗିତ ରଖିଛନ୍ତି। ଉଭୟ ପକ୍ଷର ସହମତି ଭିତ୍ତିରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ମିଳନୀର ନୂଆ ତାରିଖ ପରେ ଘୋଷଣା କରାଯିବ।

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC) ଏବଂ ଉଗାଣ୍ଡାରେ ବ୍ୟାପିଥିବା ଇବୋଲା ଯୋଗୁଁ ଆଫ୍ରିକୀୟ ୟୁନିଅନ୍ ଏବଂ ଭାରତ ଉଭୟ ଏହି ସ୍ୱାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ସମ୍ମିଳନୀ ସ୍ଥଗିତ କରିବାର ନିଷ୍ପତ୍ତି ନେଇଛନ୍ତି।

ସମ୍ମିଳନୀର ଥିମ୍ ଥିଲା “IA SPIRIT”: India Africa Strategic Partnership for Innovation, Resilience, and Inclusive Transformation। ଏଥିରେ ବାଣିଜ୍ୟ, ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଏବଂ ଉନ୍ନୟନ ଉପରେ ଆଲୋଚନା ହେବାର ଥିଲା। ଏହା ପୂର୍ବରୁ ୨୦୧୪ ଇବୋଲା ସଙ୍କଟ ସମୟରେ ମଧ୍ୟ ଏକ ଇଣ୍ଡିଆ-ଆଫ୍ରିକା ଇଭେଣ୍ଟ୍ ସ୍ଥଗିତ ହୋଇଥିଲା।

ଭାରତ ସରକାର ଏହି ସଂକ୍ରମଣକୁ ନେଇ ଦେଶରେ ସତର୍କତା ବଢ଼ାଇଛନ୍ତି। ବିମାନବନ୍ଦରରେ ସ୍କ୍ରିନିଙ୍ଗ୍, ସମ୍ଭାବ୍ୟ କେସ୍ ପାଇଁ SOP, କ୍ୱାରେଣ୍ଟାଇନ୍ ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବୁଣ୍ଡିବୁଗ୍ୟୋ (Bundibugyo) ଷ୍ଟ୍ରେନର ଇବୋଲା ଅଟେ, ଯାହାର ପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ ଭ୍ୟାକ୍ସିନ୍ କିମ୍ବା ଚିକିତ୍ସା ଉପଲବ୍ଧ ନାହିଁ। ଯାହା ଜେଇର୍ ଷ୍ଟ୍ରେନ୍ ଠାରୁ ଭିନ୍ନ।

ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ମୁଖ୍ୟତଃ ଇତୁରି ପ୍ରଦେଶ (Ituri Province) ରେ ଏହା ବହୁ ମାତ୍ରାରେ ବ୍ୟାପିଛି। ଏପର୍ଯ୍ୟନ୍ତ ଇବୋଲାରେ ୫୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ କଙ୍ଗୋରୁ ଭାରତକୁ ୨ ଜଣ ଇବୋଲା ସଂକ୍ରମିତ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ଯୋଗୁଁ ସତର୍କତା ବଢାଇ ଦିଆଯାଇଛି।

ମେ ୧୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ Public Health Emergency of International Concern (PHEIC) ଘୋଷଣା କରିଛି। ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ସଂକ୍ରମଣ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି।

୧୯୭୬ ମସିହାରେ ପ୍ରଥମ ଥର ପାଇଁ ଇବୋଲା ଭାଇରସ୍ ଚିହ୍ନଟ ହେବା ପରଠାରୁ, ବିଭିନ୍ନ ପ୍ରକୋପରେ ବିଶ୍ୱବ୍ୟାପୀ ଏପର୍ଯ୍ୟନ୍ତ ପ୍ରାୟ ୧୫,୨୦୦ ରୁ ୧୫,୫୦୦ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଅଧିକାଂଶ ୨୦୧୩-୨୦୧୬ ପଶ୍ଚିମ ଆଫ୍ରିକୀୟ ଦେଶରେ ମୃତ୍ୟୁ ହୋଇଥିଲା। ଯାହା କେବଳ ୧୧,୩୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲା।

ଇବୋଲା ଏକ ଭୂତାଣୁ (Virus) ଅଟେ। ଇବୋଲା ବାୟୁ ମାଧ୍ୟମରେ (airborne) କିମ୍ବା ସାଧାରଣ ସ୍ପର୍ଶରେ ବ୍ୟାପେ ନାହିଁ। ଏହା ମୁଖ୍ୟତଃ ସଂକ୍ରମିତ ଶରୀର ତରଳ ପଦାର୍ଥ (body fluids) ମାଧ୍ୟମରେ ବ୍ୟାପେ। ଏହା ଏକ ଜୁନୋଟିକ୍ ରୋଗ (ପ୍ରାଣୀରୁ ମଣିଷକୁ ବ୍ୟାପେ ଓ ମଣିଷରୁ ବି ମଣିଷକୁ ବ୍ୟାପେ)। ଯଦି ପ୍ରଥମେ ମଣିଷ ସଂକ୍ରମିତ ପ୍ରାଣୀର ସଂସ୍ପର୍ଶରେ ଆସେ, ତାହାଲେ ମଣିଷକୁ ବ୍ୟାପେ। ସେହିପରି ସଂକ୍ରମିତ ବ୍ୟକ୍ତିର ଶରୀର ତରଳ ସହିତ ସୁସ୍ଥ ମଣିଷ ସଂସ୍ପର୍ଶରେ ଆସିଲେ ତାହା ବ୍ୟାପେ। ଆଖି, ନାକ, ମୁଖ କିମ୍ବା ଚର୍ମର କ୍ଷତ ମାଧ୍ୟମରେ ଭୂତାଣୁ ପ୍ରବେଶ କରେ। ଇବୋଲା ହେଲେ ୨ରୁ ୨୧ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ‌। ଏହି ସଂକ୍ରମଣରେ ସଂକ୍ରମିତ ହେଲେ ରୋଗୀର ପ୍ରବଳ ଜ୍ୱର ହେବା ସହ ଶରୀର ଦୁର୍ବଳ ଲାଗେ। ବାନ୍ତି ଓ ରକ୍ତସ୍ରାବ ମଧ୍ୟ ହୁଏ। ୨୫-୯୦ ପ୍ରତିଶତ ପର୍ଯ୍ୟନ୍ତ କେସ୍ ରେ ରୋଗୀର ମୃତ୍ୟୁ ହୁଏ।