ଆସୁଛି ସୁପର ଏଲନିନୋ: ରେକର୍ଡ଼ ଭାଙ୍ଗିବ ତାତି, ମରୁଡ଼ି ଦେଖିବ ବିଶ୍ୱ
ବିଶ୍ୱ ପାଣିପାଗ ସଂସ୍ଥାନର ଚେତାବନୀ: ୨୦୨୬ ଜଳବାୟୁର ବିପର୍ଯ୍ୟୟ ବର୍ଷ
ନୂଆଦିଲ୍ଲୀ, ୦୩/୦୬: ବିଶ୍ୱ ପାଣିପାଗ ସଂସ୍ଥାନ (World Meteorological Organization – WMO) ଏକ ଗୁରୁତର ଚେତାବନୀ ଜାରି କରିଛି। ପ୍ରଶାନ୍ତ ମହାସାଗରର ଉଷ୍ଣ ଜଳରାଶି ଯୋଗୁଁ ଏଲନିନୋ ଆହୁରି ଅଧିକ ଭୟଙ୍କର ହେବାର ସମ୍ଭାବନା ରହିଛି। ଆଗାମୀ ମାସଗୁଡ଼ିକରେ ବିଶ୍ୱବ୍ୟାପୀ ତାପମାତ୍ରା ବଢ଼ାଇବା ସହ ବର୍ଷା ସ୍ୱଳ୍ପ ହେବାର ଆଶଙ୍କା ରହିଛି।
WMO ପୂର୍ବାନୁମାନ କରିଛି ଯେ, ଜୁନରୁ ଅଗଷ୍ଟ ମଧ୍ୟରେ ଏଲନିନୋର ପ୍ରଭାବ ୮୦% ରହିବ। ନଭେମ୍ବର ପର୍ଯ୍ୟନ୍ତ ଏହା ୯୦ ପ୍ରତିଶତ ବା ତା’ଠାରୁ ଅଧିକ ରହିବ। କେତେକ ମଡେଲ୍ ଅନୁଯାୟୀ ଏହା ଶକ୍ତିଶାଳୀ ବା ସୁପର ଏଲନିନୋ ହୋଇପାରେ।
ଏଲନିନୋ କଣ ଏବଂ କାହିଁକି ଭୟଙ୍କର?
ଏଲନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଅଂଶରେ ତାପମାତ୍ରା ଅସ୍ୱାଭାବିକ ବୃଦ୍ଧି ଘଟେ। ଏହା ପ୍ରତି ୨ରୁ ୭ ବର୍ଷରେ ଥରେ ଘଟେ ଏବଂ ସାଧାରଣତଃ ୯ରୁ ୧୨ ମାସ ପର୍ଯ୍ୟନ୍ତ ରହେ। ଏହା ବିଶ୍ୱବ୍ୟାପୀ ପାଣିପାଗ ଧାରାକୁ ପରିବର୍ତ୍ତନ କରେ।
ବିଶ୍ୱର ଅଧିକାଂଶ ସ୍ଥାନରେ ଉଚ୍ଚ ତାପମାତ୍ରା, ହିଟ୍ୱେଭ୍ ଏବଂ ସମୁଦ୍ରୀୟ ଉଷ୍ଣତା ବୃଦ୍ଧି ହୁଏ। ଦକ୍ଷିଣ ଆମେରିକା, ଦକ୍ଷିଣ ଯୁକ୍ତରାଷ୍ଟ୍ର ଆଦି ଅଞ୍ଚଳରେ ଅଧିକ ବର୍ଷା ଏବଂ ବନ୍ୟା ହୁଏ। ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ମଧ୍ୟ ଆମେରିକା ଏବଂ ଦକ୍ଷିଣ ଏସିଆରେ ଶୁଷ୍କତା ବଢ଼ିବା ସହ ମରୁଡ଼ି ହୁଏ। ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ ଏବଂ ମରୁଡ଼ି ହେବାର ଆଶଙ୍କା କରାଯାଉଛି।
ଏହି ଏଲନିନୋ ଫଳରେ ପୂର୍ବ ବର୍ଷର ତାତିକୁ ଆହୁରି ବଢ଼ାଇ ଦେବ। ୨୦୨୬ କିମ୍ବା ୨୦୨୭ରେ ରେକର୍ଡ ତାତି ବର୍ଷା ହୋଇପାରେ।
WMO ମହାନିର୍ଦ୍ଦେଶକ ସେଲେଷ୍ଟେ ସାଉଲୋ କହିଛନ୍ତି ଯେ, “ଆମେ ଏକ ସମ୍ଭାବ୍ୟ ଶକ୍ତିଶାଳୀ ଏଲନିନୋ ପାଇଁ ପ୍ରସ୍ତୁତ ହେବା ଦରକାର, ଯାହା ମରୁଡ଼ି, ଅଧିକ ବର୍ଷା ଏବଂ ହିଟ୍ୱେଭ୍ କୁ ବଢ଼ାଇବ।”
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏହାକୁ “ଜରୁରୀ ଜଳବାୟୁ ଚେତାବନୀ” ବୋଲି କହି ସମସ୍ତ ଦେଶକୁ ଆଗାମୀ ପରିସ୍ଥିତି ପାଇଁ ଚେତାବନୀ ଜାରି କରିଛନ୍ତି।
କୃଷି, ଜଳସମ୍ପଦ, ସ୍ୱାସ୍ଥ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି କରିବା ଉଚିତ୍। ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା ପାଇଁ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରିବା ଉଚିତ୍।
ଅନ୍ୟପଟେ ଏଲନିନୋ ପାଇଁ ଭାରତରେ କମ୍ ବର୍ଷା ହେବ ବୋଲି କହିଛନ୍ତି ଆଇଏମଡି଼ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଇଏମଡି଼ ଡିଜି କହିଛନ୍ତି, ଚଳିତ ବର୍ଷ ମୌସୁମୀରେ ଏଲ୍ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍ ରହିବ। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ କମ୍ ରହିବ। ଉତ୍ତର ଓଡ଼ିଶାରେ ସାଧାରଣଠୁ କମ୍ ବର୍ଷା ନେଇ ପୂର୍ବାନୁମାନ ହୋଇଛି। ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ତାହାଠୁ ଟିକେ ଅଧିକ ବର୍ଷିବ। ଚଳିତ ବର୍ଷ ସ୍ବାଭାବିକଠୁ କମ୍ ବା ପ୍ରାୟ ୯୦ ପ୍ରତିଶତ ବର୍ଷା ହେବ।