ନିର୍ଦ୍ଧାରିତ ସମୟ ପୂର୍ବରୁ ଘରକୁ ପଳାଉଥିଲେ, ୪ ଶିକ୍ଷକ-ଶିକ୍ଷୟତ୍ରୀ ନିଲମ୍ବିତ

କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର, ଚାରି ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରିଛନ୍ତି l ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୩୧ ତାରିଖ ଫୁଲବାଣୀର ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ ଓ ବିଇଓ ରଞ୍ଜନ କହଁର ସର୍ତ୍ତାଗୁଡା ଠାରେ ଅପେକ୍ଷାକରି ସ୍କୁଲ ଛୁଟିର ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଛାଡି ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଟକାଇଥିଲେ । ପଚରାଉଚୁରା କରି ଯାଞ୍ଚ କରିଥିଲେ ।

ପରେ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଏବଂ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଜେନା, ତିଳକପଡା ଛକ ଠାରେ ଚାରିଟା ବେଳେ ପହଂଚି ଶିକ୍ଷକମାନଙ୍କୁ ଅଟକାଇ ପୁଣି ଯାଞ୍ଚ କରିଥିଲେ l ସ୍କୁଲ ଦୂରତାକୁ ଭିତ୍ତି କରି ଅନୁସନ୍ଧାନ ପରେ ଚାରି ଜଣ ଶିକ୍ଷକ-ଶିକ୍ଷୟତ୍ରୀ ସ୍କୁଲ ଛୁଟି ହେବାର ବହୁ ପୂର୍ବରୁ ସ୍କୁଲ ଛାଡି ଆସିଥିବା ଜଣାପଡିଥିଲା l ଜିଲ୍ଲାପାଳ କନ୍ଧମାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଫୁଲବାଣୀ ବିଇଓ ରଞ୍ଜନ କୁମାର କହଁର ଚାରି ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରିଥିଲେ l