ମୋଦୀଙ୍କ ସହ ହାତ ମିଶାଇବାକୁ ନିଜେ ଆସିଲେ ବାଇଡେନ

ନୂଆଦିଲ୍ଲୀ, ୧୫/୧୧: ଇଣ୍ଡୋନେସିଆରେ ହେଉଥିବା ଜି-୨୦ ସମ୍ମିଳନୀରେ ସାମିଲ୍ ହୋଇଛନ୍ତି ବିଶ୍ବର ଅନେକ ତୁଙ୍ଗନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସମ୍ମିଳନୀରେ ଭାଗ ନେଇଛନ୍ତି। ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଜୋ ବାଇଡେନ୍ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଆସି ହାତ ମିଶାଉଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଛନ୍ତି। କୂଟନୀତିକ ସ୍ତରରେ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଥିବା ଏହି ଫଟୋରୁ ଭାରତ-ଆମେରିକା ସଂପର୍କର ଅନୁମାନ ଲଗାଯାଇପାରେ।

ଭିଡିଓରେ ଦେଖାଯାଇଛି ଯେ, ସମ୍ମିଳନୀ ପାଇଁ ନିଜ ସ୍ଥାନରେ ବସିବା ପୂର୍ବରୁ ପ୍ରଥମେ ବାଇଡେନ ନିଜେ ପିଏମ ମୋଦୀଙ୍କ ପାଖକୁ ଆସୁଛନ୍ତି ଏବଂ ତାଙ୍କ ସହ ହାତ ମିଳାଉଛନ୍ତି। ଏହାପରେ ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ପିଏମ ମୋଦୀଙ୍କ କିଛି କଥା ଶୁଣି ବାଇଡେନ ହସିଥିବାର ନଜର ଆସିଥିଲେ। ଏହି ସମୟରେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ରାଷ୍ଟ୍ରୀୟ ଜୟଶଙ୍କର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍‌ ମଧ୍ୟ ଉପସ୍ଥିତ ଥିଲେ। କଥାବାର୍ତ୍ତା ପରେ ପିଏମ ମୋଦୀ ଏବଂ ବାଇଡେନ ନିଜ ନିଜ ସ୍ଥାନରେ ବସୁଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଡଭାନ୍ସ ଟେକ୍ନୋଲୋଜୀ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ବିଭିନ୍ନ ଦିଗ ଉପରେ ଭାରତ-ଆମେରିକା ସଂପର୍କ ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ସହ ବର୍ତ୍ତମାନର ବୈଶ୍ବିକ ସ୍ଥିତି ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ। କୁହାଯାଉଛି ଜି-୨୦ ସମ୍ମିଳନୀ ପୂର୍ବରୁ ବାଇଡେନ ଏବଂ ମୋଦୀ ୟୁକ୍ରେନ ଯୁଦ୍ଧର ପ୍ରଭାବ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି।