ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ କୋଭିଡ

ଲାହୋର ୧୫।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ମନ୍ତ୍ରୀ ମରିୟମ ଆଉରଙ୍ଗଜେବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ରିଟେନରେ ୫ ଦିନର ପ୍ରବାସ ପରେ ଫେରିଥିବା ପ୍ରଧାନମନ୍ତ୍ରୀଙ୍କ କୋଭିଡ-୧୯ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି। ସୂଚନାମନ୍ତ୍ରୀ ଏ ନେଇ କରିଥିବା ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ଗତ ୨ ଦିନ ହେଲା ଅସୁସ୍ଥ ଅନୁଭବ କରୁଥିଲେ। ଡାକ୍ତରଙ୍କ ପରାମର୍ଶରେ କୋଭିଡ ପରୀକ୍ଷଣ କରାଇବା ପରେ ସେ ପଜିଟିଭ ଥିବା ସ୍ପଷ୍ଟ ହୋଇଯାଇଛି।

ଏଥରକୁ ମିସାଇ ପ୍ରଧାନମନ୍ତ୍ରୀ ତୃତୀୟବାର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ ସେ ଜୁନ ୨୦୨୦ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଜାନୁୟାରୀ ମାସରେ ମଧ୍ୟ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ପିଏମ ଶାହାବାଜ ଏକ ସଂକ୍ଷିପ୍ତ ତଥା ବ୍ୟସ୍ତତମ ଲଣ୍ଡନ ଯାତ୍ରାରୁ ସୋମବାର ଫେରିଛନ୍ତି। ସେ ବିଦେଶ ଯାତ୍ରାରୁ ଫେରିବା ପରଠାରୁ ଅସୁସ୍ଥତା ଅନୁଭବ କରୁଥିଲେ। ଲଣ୍ଡନରେ ପହଞ୍ଚିବା ପରେ ମଧ୍ୟ ସେ ଅସୁସ୍ଥ ହୋଇପଡିଥିଲେ। ଏଣୁ ତାଙ୍କର ଯାତ୍ରାକୁ ଅଧିକ ଦୁଇଦିନ ବଢା ଯାଇଥିଲା।