ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲକଲେ ୟଶବନ୍ତ ସିହ୍ନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ୟଶବନ୍ତ ସିହ୍ନା ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଏନସିପି ନେତା ଶରଦ ପାୱାର, ରାହୁଲ ଗାନ୍ଧି, ଅଖିଳେଶ ଯାଦବ ଓ ଫାରୁଖ ଅବଦୁଲ୍ଲାଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ସିହ୍ନାଙ୍କ ପ୍ରାର୍ଥୀପତ୍ର ଦାଖଲରେ ମମତା ବାନାର୍ଜୀ ଉପସ୍ଥିତ ରହିନଥିଲେ।

ସୂଚନା ଅନୁସାରେ ରାଷ୍ଟ୍ରପତି ପଦ ଲାଗି ମିଳିତ ବିରୋଧୀ ଦଳଙ୍କ ପକ୍ଷରୁ ମମତା ବାନାର୍ଜୀ ୟଶବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ କରିଥିଲେ। ତେବେ ପୂର୍ବ ବର୍ଦ୍ଧମାନରେ ଏକ ଜନସମାବେଶ ଲାଗି ମମତା ୟଶବନ୍ତଙ୍କ ପ୍ରାର୍ଥୀପତ୍ରଦାଖଲରେ ଯୋଗ ଦେଇପାରି ନହାନ୍ତି। ୟଶବନ୍ତଙ୍କ ପ୍ରାର୍ଥୀ ପତ୍ର ଦାଖଲରେ ମମତାଙ୍କ ଉପସ୍ଥିତିକୁ ନେଇ ସଂଶୟ ଲାଗି ରହିଥିଲା।

ସେହିପରି ପୂର୍ବରୁ ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଦ୍ରୌପଦୀ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଲାଗି ପ୍ରସ୍ତାବକ ହୋଇଥିଲେ। ୟଶବନ୍ତ ସିହ୍ନା ମଧ୍ୟ ଦ୍ରୌପଦୀଙ୍କ ପରି ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।