ଦେଶର ସବୁଠୁ ଧନୀ ବ୍ୟାଙ୍କର, ୧.୧୫ ଲକ୍ଷ କୋଟିର ସଂପତ୍ତି

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ବ୍ୟାଙ୍କର ଉଦୟ କୋଟକ ଶୀଘ୍ର କୋଟକ ମହିନ୍ଦ୍ରା ବ୍ୟାଙ୍କର ନୂତନ ସିଇଓ(ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ) ନିଯୁକ୍ତ କରିବାକୁ ଯାଉଛନ୍ତି। ତେବେ ଏହି ଦାୟିତ୍ଵ ତାଙ୍କ ପୁଅ ଅଜୟ  କୋଟକଙ୍କୁ ମିଳିବ ନାହିଁ ବରଂ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହି ଗୁରୁ ଦାୟିତ୍ଵ ଦିଆଯିବ। ସଂପ୍ରତି ଉଦୟ କୋଟକ ବ୍ୟାଙ୍କର ସିଇଓ ପଦରେ ଅଛନ୍ତି। କୋଟକ ମହିନ୍ଦ୍ରା ବ୍ୟାଙ୍କ ନୂତନ ସିଇଓ ନିଯୁକ୍ତି ପାଇଁ ଛଅ ମାସର ସମୟ ନିର୍ଦ୍ଧାରିତ କରିଛି।

କୋଟକ ମହିନ୍ଦ୍ରା ବ୍ୟାଙ୍କର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ କେଭିଏସ ମଣିୟନ କହିଛନ୍ତି, ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟକଙ୍କ ପୁଅ ଜୟ କୋଟକଙ୍କ ନାମ ସିଇଓ ଦୌଡରେ ନାହିଁ। ଜୟ କୋଟକ ଏବେ ଯୁବକ ଅଛନ୍ତି ଏବଂ ତାଙ୍କୁ ଯୋଗ୍ୟତା ଆଧାରରେ କାମ କରିବାକୁ ହେଲେ ନିଜକୁ ବହୁତ କିଛି ସାବ୍ୟସ୍ତ କରିବାକୁ ପଡିବ। ବ୍ୟାଙ୍କ ଆଗାମୀ ପାଞ୍ଚରୁ ଛଅ ମାସରେ ନିଜର ନୂତନ ସିଇଓଙ୍କ ନାମ ଘୋଷଣା କରିବ ବୋଲି ନିର୍ଦ୍ଦେଶକ କେଭିଏସ ମଣିୟନ କହିଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କର ସିଇଓର ସର୍ବାଧିକ କାର୍ଯ୍ୟକାଳ ସଂପର୍କିତ ଆଇନ ପ୍ରଣୟନ କରିଛି। ଏହା ଅନୁଯାୟୀ, ଉଦୟ କୋଟକ ସିଇଓ ପଦ ଛାଡିବା ପରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହି ଦାୟିତ୍ଵ ଦିଆଯିବ। ଉଦୟ କୋଟକ ୧୯୮୫ରେ ବ୍ୟାଙ୍କର ପ୍ରତିଷ୍ଠା କରିବା ସହ ସିଇଓ ପଦ ସମ୍ଭାଳିଥିଲେ।