ବ୍ୟାଙ୍କକ, ୧୩/୦୭: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ନା ଲାଡପ୍ରାଓ ପବ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହା ଜୁଲାଇ ୧୨ ପ୍ରାୟ ମଧ୍ୟରାତ୍ରିରେ ଏହି ଅଘଟଣ ଘଟିଛି। ନିଆଁ ଲାଗି ୨୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ ଜଣ ମହିଳା ଓ ୯ ଜଣ ପୁରୁଷ ରହିଛନ୍ତି।
ନିଆଁ ଲାଗିବା ପରେ ଧୂଆଁ ବ୍ୟାପିବା ଯୋଗୁଁ ହିଁ ଅନେକଙ୍କର ମୃତ୍ୟୁ ହୋଇଛି। ଅଧିକାଂଶ ମୃତଦେହ ପବ୍ ପଛ ପଟ ବାଥରୁମ୍ ନିକଟରେ ମିଳିଥିଲା। ଆହତମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ପବ୍ଟି ବ୍ୟାଙ୍କକର ଉତ୍ତର ଚାଟୁଚାକ୍ ଜିଲ୍ଲାରେ ଅବସ୍ଥିତ। ଡ୍ୟାନ୍ସ ଷ୍ଟେଜ୍ ନିକଟରେ ଥିବା ସର୍କିଟ୍ ବ୍ରେକର୍/ସ୍ୱିଚ୍ ବୋର୍ଡରୁ ସର୍ଟ ସର୍କିଟ ସୋଇ ନିଆଁ ଲାଗିଥିବା ଜଣାପଡ଼ିଛି। ଏକ ମ୍ୟୁଜିସିଆନ୍ କହିଛନ୍ତି ଯେ ଧୂଆଁ ଦେଖିବା ପରେ ଲାଇନ୍ କଟି ଯାଇଥିଲା। ତା’ପରେ ବିସ୍ଫୋରଣ ହେବା ସହ ଚାରିଆଡ଼େ ନିଆଁ ଲାଗି ଯାଇଥିଲା। ଧୂଆଁ ଖୁବ୍ ଶୀଘ୍ର ପୂରା ପବରେ ବ୍ୟାପି ଯାଇଥିଲା। ଲୋକେ ପଛପଟକୁ ଦୌଡ଼ିଥିଲେ କିନ୍ତୁ ବାହାରିବାରେ ଅସୁବିଧା ହୋଇଥିଲା। ଉଦ୍ଧାରକାରୀ ଟିମ୍ ୩୫ ମିନିଟ୍ ଭିତରେ ନିଆଁ ଆୟତ୍ତ କରିଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଆନୁଟିନ୍ ଚାର୍ଣ୍ଣଭୀରାକୁଲ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଆହତଙ୍କୁ ହସ୍ପିଟାଲ୍ ପଠାଯାଇଛି। କାରଣ ତଦନ୍ତ ଚାଲିଛି। ବ୍ୟାଙ୍କକ ଗଭର୍ଣ୍ଣର୍ ଚାଡ୍ଚାର୍ଟ ସିଟିପୁଣ୍ଟ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।