ଏମିରେଟସ ଓଡ଼ିଆ ପରିବାରର ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଦୁବାଇରେ ୨ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ଲକ୍ଷ୍ୟ, ଜୁଲାଇ ୧୯ରେ ଭବ୍ୟ ରଥଯାତ୍ରା

ଦୁବାଇ, ୧୨/୭ (ସୁରେଶ କୁମାର ପଟ୍ଟନାୟକ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏମିରେଟସ ରେ ଓଡ଼ିଆ ପରିବାର ପକ୍ଷରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ସୁଚାରୁରୂପେ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଗତ ରବିବାର ସନ୍ଧ୍ୟା ୫ଟାରେ ଦୁବାଇସ୍ଥିତ ବୁହାରୀ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଯୁକ୍ତ ଆରବ ଏମିରେଟସର ସାତଟି ରାଜ୍ୟରୁ ୩୦ରୁ ଅଧିକ ପ୍ରତିନିଧି ଯୋଗଦେଇ ରଥଯାତ୍ରାର ସଫଳ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଚଳିତ ବର୍ଷ ଦୁବାଇର ଆଲ କୁଜ୍ ସ୍ଥିତ ସ୍ପ୍ରିଙ୍ଗଡେଲ୍ସ ସ୍କୁଲ ପରିସରରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିରେ ୨ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି।

ପୁରୀ ଶ୍ରୀଗଜପତି ମହାରାଜଙ୍କ ମାର୍ଗଦର୍ଶିକା ଓ ପରମ୍ପରାଗତ ନୀତିନିୟମ ଅନୁସାରେ ଜୁଲାଇ ୧୯ ତାରିଖ ସକାଳ ୭ଟାରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ। ସକାଳ ୧୦ଟାରେ ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନି, ହରିବୋଲ, ହୁଳହୁଳି ଓ ହରିନାମ ସଂକୀର୍ତ୍ତନ ମଧ୍ୟରେ ପହଣ୍ଡି ବିଜେ ଅନୁଷ୍ଠିତ ହେବ। ସାଢ଼େ ୧୧ଟା ବେଳେ ମହାପ୍ରଭୁ ରଥାରୂଢ଼ ହେବା ପରେ ଅନୁଷ୍ଠାନର ମହିଳାମଣ୍ଡଳୀଙ୍କ ଦ୍ୱାରା ପ୍ରସ୍ତୁତ ଛପନ ଭୋଗ ଲାଗି କରାଯିବ। ଏହାପରେ ଓଡ଼ିଶୀ ନୃତ୍ୟ ପରିବେଷଣ ହେବ ଏବଂ ଦିନ ୧୨ଟା ପରେ ରଥଟଣା ଆରମ୍ଭ କରାଯିବ।

ଦିନ ୧ଟାରେ ଆନନ୍ଦ ବଜାରର ବ୍ୟବସ୍ଥା ରହିଛି। ପ୍ରାୟ ୨୦୦୦ ଭକ୍ତଙ୍କ ପାଇଁ ଚୁଡ଼ା ଘଷା, ଖଜା, ଅନ୍ନ, କାନିକା, ମିଠା ଡାଲି, ପୋଟଳ-ଆଳୁ ରସା, ଶାଗମୁଗ, ଘାଣ୍ଟ, ଆମ୍ବ ଖଟା ଓ ଖିରି ଭଳି ମହାପ୍ରସାଦ ପ୍ରସ୍ତୁତ କରାଯିବ। ଏଥିପାଇଁ ଭୁବନେଶ୍ୱରର ପାତ୍ର କ୍ୟାଟରିଂରୁ ତିନିଜଣ ଅଭିଜ୍ଞ ରୋଷେୟା ଦୁବାଇ ଯାଇ ମହାପ୍ରସାଦ ପ୍ରସ୍ତୁତ କରିବେ।

ଅପରାହ୍ନ ୨ଟାରୁ ଅନୁଷ୍ଠାନର ୧୫ରୁ ଅଧିକ କଣ୍ଠଶିଳ୍ପୀଙ୍କୁ ନେଇ ପାରମ୍ପରିକ ଭଜନ ସମାରୋହ ଆୟୋଜନ କରାଯିବ। ବହୁ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା, ଆମ୍ବୁଲାନ୍ସ ଓ ଚିକିତ୍ସା ସେବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା।

ଶେଷରେ ଏମିରେଟସ ଓଡ଼ିଆ ପରିବାର ପକ୍ଷରୁ ସଂଯୁକ୍ତ ଆରବ ଏମିରେଟସରେ ବସବାସ କରୁଥିବା ସମସ୍ତ ଓଡ଼ିଆ ଭାଇଭଉଣୀଙ୍କୁ ରଥଯାତ୍ରାରେ ସପରିବାର ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିବା ସହ ଶାନ୍ତି, ଶୃଙ୍ଖଳା ଓ ଭକ୍ତିଭାବର ସହିତ ଉତ୍ସବକୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଥିଲା। ସେହିପରି ବିଶ୍ୱ ଦରବାରରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାରକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତେ ଏକାଠି କାର୍ଯ୍ୟ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା। ପ୍ରବାସୀ ଓଡ଼ିଆଙ୍କ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର କରିବାର ଆଗ୍ରହ କୁ ଦେଖି ଓଡ଼ିଶାର ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ସମସ୍ତ ପ୍ରବାସୀ ଓଡିଆଙ୍କୁ ଘୋଷଯାତ୍ରା ର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତା ପତ୍ର ଜରିଆରେ ଜଣାଇଥିବା ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ କୁହାଯାଇଛି।