ଜଗନ୍ନାଥପ୍ରସାଦ, ୧୩/୦୭: ଡାକ୍ତର ନାଁରେ କଳଙ୍କ। ଚିକିତ୍ସା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଘରୋଇ କ୍ଲିନିକ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ଆୟୁଷ ଡାକ୍ତର ସମୀର ପ୍ରଧାନ ଦୁଷ୍କର୍ମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାରେ ଏତଲା ଦିଆଯାଇଛି।
ଅଭିଯୁକ୍ତ ଡାକ୍ତରଙ୍କ ନାମ ସମୀର ପ୍ରଧାନ ବୋଲି ଜଣାପଡ଼ିଛି। ନାବାଳିକା ଜଣକ ଗତ କାଲି ସନ୍ଧ୍ୟାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ତାଙ୍କ ମା’ଙ୍କ ସହ କ୍ଲିନିକକୁ ଯାଇଥିଲେ। କ୍ଲିନିକରେ ଏକ ରୁମରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ଡ଼ାକ୍ତର। ଏହା ପରେ ନାବାଳିକା ଜଣକ ତାଙ୍କ ମା’ଙ୍କୁ ସବୁ କଥା କହିବା ପରେ ପରିବାର ଲୋକେ ତୁରନ୍ତ ଜଗନ୍ନାଥପ୍ରସାଦ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଡ଼ାକ୍ତରଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି।