#RIP ଟ୍ୱିଟର ଟ୍ରେଣ୍ଡରେ ମସ୍କ ସେୟାର କଲେ କବର ମିମ୍‌

ସାନଫ୍ରାନସିସ୍କୋ: ଶହଶହ କର୍ମଚାରୀଙ୍କ ଇସ୍ତଫା ଯୋଗୁ ଏବେ ଟ୍ୱିଟରରେ # ଆରଆଇପି ଟ୍ରେଣ୍ଡ କରୁଛି। ଏହାକୁ ନେଇ ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ଏବେ ମିମସ୍‌ର ବନ୍ୟା ଆସିଥିବା ବେଳେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ମଧ୍ୟ ଏଥିରେ ନିଜକୁ ସାମିଲ  କରିଦେଇଛନ୍ତି। ଆରଆଇପି ଟ୍ୱିଟର  ଟ୍ରେଣ୍ଡରେ ମସ୍କ ଟ୍ୱିଟରର ଏକ କବର ଫଟୋ ସେୟାର କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା ସବୁ ସେତେବେଳେ ହେଉଛି ଯେତେବେଳେ ଟ୍ୱିଟରରୁ ଏକକାଳୀନ ଶହଶହ କର୍ମଚାରୀ ଚାକିରୀ ଛାଡିଛନ୍ତି।

୨୭ ଅକ୍ଟୋବର ୨୦୨୨ରେ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା କାଳରେ  ଏକକାଳୀନ ୩୭୦୦ କର୍ମଚାରୀଙ୍କୁ ଛଟେଇ କରି ଦେଇଥିଲେ। ଯେଉଁ ବଳକା କର୍ମଚାରୀଙ୍କ ଦ୍ୱାରା ଟ୍ୱିଟର ଏପର୍ଯ୍ୟନ୍ତ ଚାଲି ରହିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁବାର ମସ୍କଙ୍କ ମେଲ ପରେ ଚାକିରୀରୁ ସ୍ୱେଚ୍ଛାକୃତ ବାହାରି ଯାଇଛନ୍ତି। କୁହାଯାଉଛି କମ୍ପାନୀରେ ବଡସ୍ତରରେ ହେଉଥିବା ପରିବର୍ତ୍ତନ ଓ ହାର୍ଡ କୋର ୱାର୍କକୁ ନେଇ କର୍ମଚାରୀ ଅସନ୍ତୁଷ୍ଟ ଥିଲେ। ଏଥିରେ ମସ୍କଙ୍କ କାର୍ଯ୍ୟ ଘଣ୍ଟା ବଢାଇବା ଓ ହାର୍ଡ କୋର ୱାର୍କର ଅଲ୍ଟିମେଟମ ଦେବା ଯୋଗୁ କର୍ମଚାରୀ ନିଜ ଆଡୁ ଚାକିରୀରୁ ଇସ୍ତଫା ଦେଇଛନ୍ତି।