ଏଡିଆର ରିପୋର୍ଟ ୨୦୨୪-୨୫: DMKକୁ ସର୍ବାଧିକ ୩୬୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଡୋନେସନ

ବିଜେଡିକୁ ମିଳିଛି ୬୦ କୋଟି ଟଙ୍କାର ଡୋନେସନ୍

ନୂଆଦିଲ୍ଲୀ, ୦୬/୦୮: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ଆଞ୍ଚଳିକ ରାଜନୈତିକ ଦଳଙ୍କ ଡୋନେସନ୍ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ଆଞ୍ଚଳିକ ଦଳଗୁଡ଼ିକ ଭିତରେ ତାମିଲନାଡୁର ଡିଏମକେ (DMK) ସର୍ବାଧିକ ଚାନ୍ଦା ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ଡିଏମକେକୁ ୩୬୫.୭୮ କୋଟି ଟଙ୍କା ଡୋନେସନ୍ ମିଳିଛି। ଏହା ସମସ୍ତ ଆଞ୍ଚଳିକ ଦଳ ମଧ୍ୟରେ ସର୍ବାଧିକ। ଟପ୍ ୫ ଆଞ୍ଚଳିକ ଦଳ ମଧ୍ୟରେ ଡିଏମକେ ସହିତ ୱାଇଏସ୍‌ଆର୍ କଂଗ୍ରେସ୍ (YSRCP), ଟିଡିପି (TDP) ଓ ଏଆଇଏଡିଏମକେ (AIADMK) ରହିଛନ୍ତି। ଏହି ଟପ୍ ୫ ଦଳଙ୍କୁ ମିଳିଥିବା ମୋଟ୍ ଡୋନେସନ୍ ପ୍ରାୟ ୮୪୦ କୋଟି ଟଙ୍କା। ଓଡ଼ିଶାର ବିଜୁ ଜନତା ଦଳ (BJD)କୁ ୬୦ କୋଟି ଟଙ୍କାର ଡୋନେସନ୍ ମିଳିଛି।

ଏଡିଆର୍‌ର ବିଶ୍ଳେଷଣ ଅନୁଯାୟୀ ୨୦୨୪-୨୫ରେ ଆଞ୍ଚଳିକ ଦଳଗୁଡ଼ିକୁ ୨୦ ହଜାର ଟଙ୍କାରୁ ଅଧିକ ଡୋନେସନ୍ ଭାବେ ମୋଟ୍ ୧,୦୫୧.୫୬ କୋଟି ଟଙ୍କା ମିଳିଛି। ଏହା ପୂର୍ବ ବର୍ଷ (୨୦୨୩-୨୪)ର ୩୪୭.୬୯ କୋଟି ତୁଳନାରେ ତିନି ଗୁଣାରୁ ଅଧିକ ବୃଦ୍ଧି। ଡୋନେସନ୍ ସଂଖ୍ୟା ମଧ୍ୟ ୨,୮୬୧ରୁ ବଢ଼ି ୫,୨୯୭ରେ ପହଞ୍ଚିଛି।

ଡିଏମକେ ପରେ ଦ୍ୱିତୀୟ ସ୍ଥାନରେ ତୃଣମୂଳ କଂଗ୍ରେସ୍ (AITC) ରହିଛି, ଯାହାକୁ ପ୍ରାୟ ୧୮୪.୯୬ କୋଟି ମିଳିଛି। ତୃତୀୟ ସ୍ଥାନରେ ୱାଇଏସ୍‌ଆର୍ କଂଗ୍ରେସ୍ (ପ୍ରାୟ ୧୪୦ କୋଟି) ରହିଛି। ଅନେକ ଆଞ୍ଚଳିକ ଦଳ ମୁଖ୍ୟତଃ କର୍ପୋରେଟ୍ ଓ ବ୍ୟବସାୟିକ ସଂସ୍ଥାଙ୍କ ଠାରୁ ଡୋନେସନ୍ ପାଇଛନ୍ତି। ଡିଏମକେର ବହୁଳ ଅଂଶ ଅଘୋଷିତ ଦାତାଙ୍କ ଠାରୁ ଆସିଛି।