ମୁମ୍ବାଇ, ୦୬/୦୮: ତେହଲକା ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ୨୦୧୩ ମସିହାର ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ୧୦ ବର୍ଷର କଠୋର କାରାଦଣ୍ଡ ଶୁଣାଇଛନ୍ତି। ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରାଯାଇଛି। ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଜଷ୍ଟିସ ନୀଳା ଗୋଖଲେ ଓ ଅମିତ ଜାମସାନଦେକରଙ୍କ ବେଞ୍ଚ ଗୋଆ ସେସନ୍ସ କୋର୍ଟର ୨୦୨୧ ମେ ମାସର ନିର୍ଦ୍ଦୋଷରେ ଖଲାସ ରାୟକୁ ଖାରଜ କରି ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କୁ ୧୦ ବର୍ଷର କଠୋର କାରାଦଣ୍ଡ ସହିତ ଜୋରିମାନା ମଧ୍ୟ ଧାର୍ଯ୍ୟ କରିଛନ୍ତି।
୨୦୧୩ ନଭେମ୍ବର ୭ ଓ ୮ ତାରିଖରେ ଗୋଆରେ ତେହଲକା ମାଗାଜିନ ଆୟୋଜିତ ‘ଥିଙ୍କଫେଷ୍ଟ’ କାର୍ଯ୍ୟକ୍ରମ ସମୟରେ ଏକ ପଞ୍ଚତାରକା ହୋଟେଲର ଲିଫ୍ଟ ଭିତରେ ତାଙ୍କର ଜଣେ କନିଷ୍ଠ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗ ଉପରେ ଗୋଆ ପୋଲିସ ଏଫ୍ଆଇଆର୍ ଦାଖଲ କରିଥିଲା ଏବଂ ନଭେମ୍ବର ୩୦ରେ ତେଜପାଲଙ୍କୁ ଗିରଫ କରାଯାଇଥିଲା। ସେ ପ୍ରାୟ ଛଅ-ସାତ ମାସ ଜେଲରେ ରହିବା ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଥିଲେ।
୨୦୨୧ ମେରେ ଗୋଆ ସେସନ୍ସ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ରାୟ ବିରୁଦ୍ଧରେ ଗୋଆ ସରକାର ବମ୍ବେ ହାଇକୋର୍ଟରେ ଅପିଲ୍ କରିଥିଲେ।
ରାୟ ଘୋଷଣା ପୂର୍ବରୁ ତେଜପାଲ କୋର୍ଟରେ ହାଜର ଥିଲେ। ସେ ନିଜ ବୟସ (୬୨ ବର୍ଷ), ପରିବାର (ଦୁଇ ଝିଅ ଓ ପତ୍ନୀ) ଉଲ୍ଲେଖ କରି ଦୟାଭାବ ଦେଖାଇବା ପାଇଁ ଦାବି କରିଥିଲେ ଏବଂ ନିଜକୁ “ରାଜନୈତିକ ଆକ୍ରୋଶର ଶିକାର” ବୋଲି ଦାବି କରିଥିଲେ। ରାୟ ପରେ ସେ କହିଛନ୍ତି ଯେ ସେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ।